ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ୨୦୦୦ କୋଟିର ବିଭିନ୍ନ ପ୍ରକଳ୍ପର କଲେ ଶୁଭାରମ୍ଭ

ଭୁବନେଶ୍ୱର,୨୬/୩ (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାର କବିସୂର୍ଯ୍ୟନଗର, ଛତ୍ରପୁର ଓ ହିଞ୍ଜିଳିରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ଅବସରେ ସେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଛତ୍ରପୁରରେ ୧୦୦୦ କୋଟି, ହିଞ୍ଜିଳି ୫୯୦ କୋଟି ଓ କବିସୂର୍ଯ୍ୟନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ହୋଇଛି ।

ସେହିଭଳି ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୦ ହଜାର ଲୋକଙ୍କୁ ଗ୍ରାମକଣ୍ଠ ଜମିପଟ୍ଟା ପ୍ରଦାନ କରିଛନ୍ତି । ଛତ୍ରପୁରରେ ୩୫୦୦ ପଟ୍ଟା, ହିଞ୍ଜିଳିରେ ୪୫୦୦ ପଟ୍ଟା ଓ କବିସୂର୍ଯ୍ୟନଗରରେ ୧୧ ହଜାରରୁ ଅଧିକ ପଟ୍ଟା ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାକୁ ରାଜ୍ୟର ଏକ ଆଗୁଆ ଜିଲ୍ଲା କରିବା ଦିଗରେ କାର୍ଯ୍ୟ କରାଯାଉଛି । ଏହା ସହିତ ଏହାକୁ ଦେଶର ଏକ ନମ୍ବର ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ୫ଟି ସ୍କୁଲ ରୂପାନ୍ତର ରାଜ୍ୟ ସରକାରଙ୍କ ଦୁଇଟି ମାଇଲ ଷ୍ଟୋନ ସଫଳତା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୫୦ ହଜାର ଲୋକ ଚିକିତ୍ସା ସୁବିଧା ପାଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ୫ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୬୩୦ଟି ହାଇସ୍କୁଲ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୭୧ଟି ସ୍କୁଲର ରୂପାନ୍ତର ସାରିଛି । ଆସନ୍ତା ଡିସେମ୍ବର ସୁଦ୍ଧା ଜିଲ୍ଳାର ସବୁ ସ୍କୁଲ ରୂପାନ୍ତରିତ ହେବ । ରାଜ୍ୟରେ କୃଷକ ମାନଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କାର ଋଣ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିଭଳି ମିଶନ ଶକ୍ତିର ମହିଳାମାନଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଆମାନେ ବହୁତ ଭଲ କାମ କରୁଛନ୍ତି ଏବଂ ରାଜ୍ୟ ସରକାର ସେମାନଙ୍କୁ ସବୁ ସହଯୋଗ ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି । ରାଜ୍ୟର SHG ଗୁଡ଼ିକ SME ହେବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମହିଳା ମାନଙ୍କୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିଭଳି ଆଜି ଗଞ୍ଜାମରେ ମିଶନ ଶକ୍ତି ମହିଳାମାନଙ୍କୁ ୬୧୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଛତ୍ରପୁରରେ ୧୮୦ କୋଟି, ହିଞ୍ଜିଳିରେ ୧୫୪ କୋଟି ଓ କବିସୂର୍ଯ୍ୟନଗରରେ ୨୮୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ମହିଳାଙ୍କ ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ରୀ କହଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସଂସାଦ ଚନ୍ଦ୍ରଶେଖର ସାହୁ, ଆସ୍କା ସଂସାଦ ପ୍ରମିଳା ବିଶୋଇ, ଜିଲ୍ଲାର ଅନ୍ୟ ବିଧାୟକ ବିଧାୟିକାଗଣ ଓ ଜିଲ୍ଲା ପରିଷଦ ସଭାପତି ପ୍ରମୂଖ ଉପସ୍ଥିତ ଥିଲେ ।

Related Posts