ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇଥିଲେ। ଏହି ଗସ୍ତ ଅବସରରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ମା’ ସମଲେଶ୍ୱରୀ ମନ୍ଦିର ଓ ଅନ୍ୟାନ୍ୟ ରୂପାନ୍ତର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ ।
ବୁର୍ଲା ଇଞ୍ଜିନିୟରିଂ କଲେଜ ରାଜ୍ୟର ଏକ ଅଗ୍ରଣୀ ଇଞ୍ଜିନିୟରିଂ କଲେଜ ଏବଂ ସାରା ଦେଶରେ ଏହାର ସୁଖ୍ୟାତି ରହିଛି । ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଯାଇ ବିଶ୍ୱବିଦ୍ୟାଳୟର ଏକାଡେ଼ମିକ ବ୍ଲକ ରେ ଥିବା ଶ୍ରେଣୀ ଗୃହ ଓ ପରୀକ୍ଷାଗାର, ବିଶ୍ୱେଶ୍ୱରାୟା ଅଡିଟୋରିୟମ୍ l ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା, ମିଳୁଥିବା ସୁବିଧା ତଥା ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ହଜାରେ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ଏହା ସହିତ କ୍ୟାମ୍ପସ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ଜମି ଦେବେ ବୋଲି ମଧ୍ୟ କହିଛନ୍ତି ମୁଖ୍ୟ ଶାସନ ସଚିବ। ଖୁବଶୀଘ୍ର ଭିସୁଟ ସେଣ୍ଟର ଅଫ ଏକ୍ସିଲେନ୍ସରେ ପରିଣତ ହେବ ବୋଲି ମଧ୍ୟ ସେ କହିଛନ୍ତି ।
- ବୁର୍ଲା ବୈଷୟିକ ବିଶ୍ଵବିଦ୍ୟାଳୟ ଉନ୍ନତିକରଣ ପାଇଁ ଏକ ହଜ଼ାର କୋଟି ଟଙ୍କା ଖର୍ଚ୍ଚ ହେବ, ୧୫ ଦିନରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍
ବୁର୍ଲା ବୈଷୟିକ ବିଶ୍ୱବିଦ୍ୟାଳୟ ର ବିକାଶ ପାଇଁ ହଜାରେ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ଏହା ସହିତ ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହାକୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ। ଏଥିପାଇଁ ଏକ ବିସ୍ତୃତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ ଏବଂ ଆଗାମୀ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହାକୁ ଉପସ୍ଥାପିତ କରାଯିବ । ଛାତ୍ର, ଶିକ୍ଷକ, ଶିଳ୍ପ ଜଗତ, ପୁରାତନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ପ୍ରଶାସନ ସହିତ ବ୍ୟାପକ ଆଲୋଚନା କରାଯାଇ ଏହି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି।
- ମା ସମଲେଶ୍ୱରୀ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା.
ଏହି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ସମଲେଶ୍ୱରୀ ମନ୍ଦିର ଗସ୍ତ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ ଟି ରୂପାନ୍ତର କାର୍ଯ୍ୟକ୍ରମରେ ସମଲେଶ୍ୱରୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ସମଲେଇ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ସେବାୟତ ଓ ଜନସାଧରଣଙ୍କ ମତାମତ ନେଇଥିଲେ । ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଓବିସିସି କର୍ତ୍ତୃପକ୍ଷ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ଅବଗତ କରାଇଥିଲେ । ପ୍ରକଳ୍ପ ଅଧିନସ୍ଥ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ୫ଟି ସଚିବ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠ ଅଧିକାରୀମାନେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ମା’ଙ୍କର ପୂଜା ଅର୍ଚ୍ଚନା କରିଥିଲେ ।
