ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ବହୁ ପ୍ରତିକ୍ଷୀତ ଅଧ୍ୟକ୍ଷ ପଦ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ସାଂସଦ ଶଶୀ ଥରୁର ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଖଡଗେଙ୍କ ପଲା ଭାରି ଥିବା କୁହାଯାଉଛି। ୯,୦୦୦ରୁ ଊର୍ଦ୍ଧ୍ୱ ପିସିସି ପ୍ରତିନିଧି ଗୁପ୍ତ ଭୋଟ ଜରିଆରେ ନେତା ନିର୍ବାଚନ କରିବେ। ଦୀର୍ଘ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ ଜଣେ ବ୍ୟକ୍ତି ଦଳର ମଙ୍ଗ ଧରିବାକୁ ଯାଉଛନ୍ତି। ଶେଷ ଅଣଗାନ୍ଧୀ ସଦସ୍ୟ ଭାବେ ସୀତାରାମ କେଶରୀ ୧୯୯୬ରୁ ୧୯୯୮ କଂଗ୍ରେସ ଅଧ୍ୟକ୍ଷ ଥିଲେ। କଂଗ୍ରେସର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି।

ଏହି ନିର୍ବାଚନ ପାଇଁ ଦିଲ୍ଲୀର ଏଆଇସିସି ମୁଖ୍ୟାଳୟ ସମେତ ସାରା ଦେଶର ୬୫ରୁ ଉର୍ଦ୍ଧ ବୁଥରେ ମତଦାନ ଅନୁଷ୍ଠିତ ହେବ। ପ୍ରତି ୨୦୦ ପ୍ରତିନିଧିଙ୍କ ପାଇଁ ଗୋଟିଏ ବୁଥର ବ୍ୟବସ୍ଥା କରାଯାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏଆଇସିସି ମୁଖ୍ୟାଳୟରେ ଭୋଟ ଦେବାକୁ ଥିବାବେଳେ ଭାରତ ଯୋଡ଼ୋ ଯାତ୍ରାରେ ଥିବା ରାହୁଲ ଗାନ୍ଧୀ କର୍ଣ୍ଣାଟକର ବେଲାରୀ ଜିଲ୍ଲା ଅନ୍ତର୍ଗତ ସାଙ୍ଗନାକାଲ୍ଲୁଠାରେ ଭୋଟ ଦେବେ। ସେଠାରେ ରାହୁଲଙ୍କ ସମେତ ପ୍ରାୟ ୪୭ ଜଣ ଭାରତ ଯାତ୍ରୀ ମଧ୍ୟ ଭୋଟ ଦେବେ ଏଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଏହି ନିର୍ବାଚନରେ ସଂପୂର୍ଣ୍ଣ ଗୋପନୀୟ ମତଦାନ ହେବ ବୋଲି ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀ ସୂଚନା ଦେଇଛନ୍ତି। ବାଲଟ ପେପର ମାଧ୍ୟମରେ ଭୋଟ ଦାନ ଦେବାକୁ ଥିବାବେଳେ ଏହି ବାଲଟରେ ୧ ନମ୍ବରରେ ମଲ୍ଲିକାର୍ଜୁନ ଖଡଗେ ଏବଂ ୨ ନମ୍ବରରେ ଶଶି ଥରୁରଙ୍କ ନାମ ରହିଛି। ପିସିସି ପ୍ରତିନିଧିମାନେ ଯାହାଙ୍କୁ ଅଧ୍ୟକ୍ଷ ନିର୍ବାଚିତ କରିବାକୁ ଚାହୁଁଛନ୍ତି, ତାଙ୍କ ନାମ ପାଖରେ ୧ ଲେଖିବାକୁ କୁହାଯାଇଥିଲା। ଥରୁରଙ୍କ ଟିମ୍‌ ଏହାର ପ୍ରତିବାଦ କରିବାରୁ ୧ ପରିବର୍ତ୍ତେ ଟିକ୍‌ ଚିହ୍ନ ଗ୍ରହଣ କରାଯିବ ବୋଲି ଦଳର କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି।