କଂଗ୍ରେସ ଗୋଟିଏ ପରିବାରର ପାର୍ଟି, ସେମାନେ କେବେ ଦେଶର ସୁରକ୍ଷା କଥା ଚିନ୍ତା କରନ୍ତି ନାହିଁ: ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପରିବାରବାଦ ଓ ଆତଙ୍କବାଦ ପ୍ରସଙ୍ଗକୁ ନେଇ ଆଜି କଂଗ୍ରେସ ଉପରେ ବର୍ଷିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସୋମବାର ହିମାଚଳପ୍ରଦେଶରେ ଏକ ନିର୍ବାଚନୀ ଜନସଭାକୁ ଉଦବୋଧନ ଦେବା ସମୟରେ କଂଗ୍ରେସକୁ ଟାର୍ଗେଟ କରି ଯୋଗୀ କହିଛନ୍ତି ଯେ, କଂଗ୍ରେସ କେବଳ ଗୋଟିଏ ପରିବାରର ପାର୍ଟି, ସେମାନେ କେବେ ହେଲେ ଦେଶର ସୁରକ୍ଷା ବିଷୟରେ ଚିନ୍ତା କରନ୍ତି ନାହିଁ। କଂଗ୍ରେସ ଆତଙ୍କବାଦର ମୂଳ ଉତ୍ପନ୍ନ କରିବାପାଇଁ ଦେଶରେ ଧାରା ୩୭୦ ଲଗାଇଥିଲା। ଜାଣିଶୁଣି ଜମ୍ମୁ-କାଶ୍ମୀରରେ ଲଗାଯାଇଥିବା ଧାରା ୩୭୦ ଯୋଗୁଁ ଦେଶକୁ ଆତଙ୍କବାଦର ଦଂଶନ ସହିବାକୁ ପଡ଼ିଲା ବୋଲି ଯୋଗୀ କହିଛନ୍ତି।

ହିମାଚଳ ପ୍ରଦେଶର ଉନାରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ସମୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯେପରି ଅବସର ମିଳିଲା ସେ ଧାରା ୩୭୦କୁ ଜମ୍ମୁ-କଶ୍ମୀରରୁ ହଟାଇଦେଲେ। ଏବେ ଜମ୍ମୁ-କଶ୍ମୀର ମଧ୍ୟ ଦେଶର ଅନ୍ୟ ରାଜ୍ୟ ଭଳି। ଏବେ ହିମାଚଳ ପ୍ରଦେଶ ସହ ଅନ୍ୟ ପ୍ରଦେଶର ଲୋକେ ଜମ୍ମୁ-କଶ୍ମୀର ଯାଇ ଜାଗା କିଣିପାରିବେ, ଘର ତିଆରି କରିପାରିବେ।

କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି ଯେ, କଂଗ୍ରେସ ନିଜ ସ୍ବାର୍ଥ ପାଇଁ ଧାରା ୩୭୦କୁ ହଟାଇ ନଥିଲା ଏବଂ କେବଳ ଭୋଟ୍ ବ୍ୟାଙ୍କ୍ ରାଜନୀତି କରିଚାଲିଥିଲା। କଂଗ୍ରେସ ଦେଶର ଅନ୍ତରୀଣ ସୁରକ୍ଷା କରିପାରିବ ନାହିଁ କି ଦେଶବାସୀଙ୍କ ପାଇଁ କଲ୍ୟାଣକାରୀ ଯୋଜନା କରିପାରିବ। ଖାଲି ସେତିକି ନୁହେଁ, ଯୋଗୀ ଏହି ଜନସଭାରେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ମଧ୍ୟ ବର୍ଷିଥିଲେ। ଯୋଗୀ କହିଥିଲେ ଯେ, ଦେଶରେ ଯେତେବେଳେବି କୌଣସି ସଙ୍କଟ ଆସେ, ଦୁଇ ଭାଇ-ଭଉଣୀ ବିଦେଶ ଚାଲିଯାଆନ୍ତି। ସେ କହିଥିଲେ ଯେ କରୋନା ସମୟରେ ମଧ୍ୟ ଦୁଇ ଭାଇ-ଭଉଣୀ ଏମିତି କରିଥିଲେ। ଯୋଗୀ ପୁଣି ଥରେ ଅଯୋଧ୍ୟା ରାମ ମନ୍ଦିର ମଧ୍ୟ କାର୍ଡ ଖେଳିଛନ୍ତି । ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାଜପା ଶାସନକାଳରେ ହିଁ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ ହୋଇଥିଲା।

Related Posts