
ଯାଜପୁର ଡଙ୍କାରୀରେ ବେଆଇନ୍ ଖଣି କାରବାର ପଛରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବାଦୀୟ ଭୂମିକାର ପର୍ଦ୍ଦାଫାସ୍ କରିଛନ୍ତି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ । ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସତ୍ୟ ପ୍ରକାଶ ଡଙ୍କାରୀ ଖଣି ଘୋଟାଲାରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହ ଏ କେଳେଙ୍କାରୀର ଗଡଫାଦର ନିଜେ ନବୀନ ବୋଲି କହିଛନ୍ତି ।
ମାନ୍ୟବର ଗ୍ରୀନ୍ ଟ୍ରିବ୍ୟୁନାଲ୍ଙ୍କ ରିପୋର୍ଟରୁ ଧରାପଡ଼ିଛି ନବୀନ ପଟ୍ଟନାୟକଙ୍କ ସରକାରରେ ତାଙ୍କ ପ୍ରଶାସନର ବଡ଼ ବାବୁମାନଙ୍କ ସହଯୋଗରେ ଚାଲିଥିବା ହଜାର ହଜାର କୋଟି ଟଙ୍କାର ବେଆଇନ୍ ଖଣି କାରବାର । ଶାହା କମିଶନଙ୍କ ତଦନ୍ତ ପରେ ମଧ୍ୟ ଖଣି ଘୋଟାଲା ବନ୍ଦ ହୋଇନାହିଁ । ତା’ର ସବୁଠୁ ବଡ ଉଦାହରଣ ହେଉଛି ଡଙ୍କାରୀ ପାହାଡ଼ ବେଆଇନ୍ ଖଣି କାରବାର ।
ଏହି ବେଆଇନ୍ କାରବାରରେ ସରକାରଙ୍କ ସିଧାସଳଖ ସଂପୃକ୍ତି ନେଇ ପ୍ରମାଣଯୋଗ୍ୟ ସରକାରୀ କାଗଜପତ୍ର ଦେଖାଇବା ସହିତ ଅଭିଯୋଗର ଚିଠା ମଧ୍ୟ ଦେଇଛନ୍ତି ସତ୍ୟପ୍ରକାଶ ।
୨୦୧୬ ଅଗଷ୍ଟ 6 ତାରିଖର ଚିଠି ନମ୍ବର ୩୩୧୪ରେ ଯାଜପୁର ଜିଲ୍ଲାପାଳ ଧର୍ମଶାଳାରେ ବିଭିନ୍ନ ସମୟରେ କାର୍ଯ୍ୟ କରିଥିବା ୬ ଜଣ ଉପଜିଲ୍ଲାପାଳ ଓ ୧୦ ଜଣ ତହସିଲଦାରଙ୍କ ଉପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ ।
2016 ଅଗଷ୍ଟ 11 ତାରିଖ ଓ 23 ତାରିଖରେ ଯାଜପୁର ଜିଲ୍ଲାପାଳ ୧୦ ଜଣ ରାଜସ୍ୱ ନିରୀକ୍ଷକଙ୍କ ବିରୁଦ୍ଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଥିଲେ । ୟା ଭିତରେ ପ୍ରାୟ ତିନି ବର୍ଷ ହେଲାଣି କିନ୍ତୁ ଏ ଯାଏଁ ହୋଇନାହିଁ କାହାରି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ।
ଏ ସମସ୍ତ ଘଟଣା ସତ୍ୱେ କାହିଁକି ଜିଲ୍ଲାପାଳଙ୍କ ବିରୁଦ୍ଧରେ ତଦନ୍ତ କରାନଯାଇ ଓଲଟା ଜିଲ୍ଲାପାଳଙ୍କୁ ତଦନ୍ତ କରିବାର କ୍ଷମତା ରାଜ୍ୟ ସରକାର ଦେଇଦେଲେ ତାକୁ ନେଇ ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଅଭିଯୁକ୍ତ ଲିଜ୍ଧାରୀ ଶ୍ରୀବାସ ଜେନା ବିଜେଡିର ଜଣେ ଆଗଧାଡ଼ିର ନେତା ଓ ନବୀନଙ୍କ ସହ ତାଙ୍କର ନିବିଡ଼ ସଂପର୍କ ରହିଛି । ଏ ନେଇ ଶ୍ରୀବାସ ଜେନା ଓ ନବୀନ ପଟ୍ଟନାୟକ ଗୋଟିଏ ମଞ୍ଚରେ ଏକାଠି ଯୋଗଦେବାର ଫଟୋ ମଧ୍ୟ ରହିଛି । ବିଜେଡି ମୁଖିଆ ତଥା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଓ ସୁରକ୍ଷା ଯୋଗୁଁ ଶହ ଶହ କୋଟିର ଡଙ୍କାରୀ ଖଣି ଘୋଟାଲା ବର୍ଷ ବର୍ଷ ଧରି ବେଧଡ଼କ ଚାଲୁଥିଲା ।
ମାନ୍ୟବର ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ରାୟ, ରାଜ୍ୟ ସରକାର ଓ ତାଙ୍କ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ଲିଜ୍ଧାରୀଙ୍କ ମଧ୍ୟରେ ସୁସମ୍ପର୍କ ଓ ପ୍ରୋତ୍ସାହନର ମୁଖା ଖୋଲି ଦେଇଛି । ଏପରିକି ଅଭିଯୁକ୍ତ ସରକାରୀ ବାବୁଙ୍କଠାରୁ ଜରିମାନା ଆଦାୟ କରିବାକୁ ମଧ୍ୟ ମାନ୍ୟବର ଗ୍ରୀନ୍ ଟ୍ରିବ୍ୟୁନାଲ୍ ତାଙ୍କ ରାୟରେ କହିଛନ୍ତି ।
ଏଥିରୁ ସ୍ପଷ୍ଟ ଯେ ବିଜେଡି ସରକାର ଓ ବିଜେଡି ନେତାଙ୍କ ଦ୍ୱାରା ଖଣି ଘୋଟାଲା ବର୍ତମାନ ମଧ୍ୟ ଚାଲୁଅଛି ଏବଂ ଅଭିଯୁକ୍ତଙ୍କ ପାଖରୁ ବିଜେଡି ଚାନ୍ଦା ସଂଗ୍ରହ କରୁଛି ବୋଲି ପ୍ରଦେଶ କଂଗେସ ଅଭିଯୋଗ କରିଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ହିମାଂଶୁ ଲେଙ୍କା, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।