
(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ତାଙ୍କ ପୂର୍ବତନ କ୍ୟାବିନେଟ ସହକର୍ମୀ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧରେ କଂଗ୍ରେସ ଦଳର ସଭାପତି ସୋନିଆ ଗାନ୍ଧୀ ହସ୍ତକ୍ଷେପ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଆପୋଷ ବୁଝାମଣା ନିମନ୍ତେ ସୋନିଆ ଗାନ୍ଧୀ ଏକ କମିଟି ଗଠନ କରିଥିବାର ସୂଚନା ମିଳିଛି । ତେବେ ଏହି ୩ ସଦସ୍ୟ ବିଶିଷ୍ଟ କମିଟିରେ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖଡଗେ ଅଧ୍ୟକ୍ଷ ଥିବାବେଳେ ଏଆଇସିସି ସାଧାରଣ ସମ୍ପାଦକ ହରିଶ ରାୱତ ଓ ଜେ.ପି.ଅଗ୍ରୱାଲ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଉପୁଜିଥିବା ମତ ଭେଦକୁ ସମାଧାନ କରାଯିବା ହିଁ ଏହାର ମୂଳ ଲକ୍ଷ୍ୟ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ୨୦୨୨ରେ ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ କଂଗ୍ରେସ ଦଳ ଏପରି କରିଥିବାର ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସୋନିଆ ଗାନ୍ଧୀ ଏହି ପ୍ୟାନେଲ ଗଠନ କରିଥିଲେ । କିନ୍ତୁ ଏହାକୁ ସର୍ବସାଧାରଣରେ ଘୋଷଣା କରାଯାଇ ନ ଥିବାର ଦେଖିବା ପାଇଁ ମିଳିଛି । ଅନ୍ୟପଟେ ତୃଣମୂଳ ସ୍ତରରେ ସରକାର ଓ ଦଳକୁ ମଜବୁତ କରିବା ସହ କଂଗ୍ରେସକୁ ଏକଜୁଟ କରିବା ଏବଂ ଶେଷରେ 2022 ବିଧାନସଭା ନିର୍ବାଚନରେ ଏହାର ବିଜୟ ନିଶ୍ଚିତ କରିବା ହିଁ ଆମର ପ୍ରାଥମିକ ପଦକ୍ଷେପ ବୋଲି କଂଗ୍ରେସ ଦଳର ବରିଷ୍ଠ ନେତା ଶ୍ରୀ ରାୱତ ପିଟିଆଇକୁ କହିଛନ୍ତି। ଏହା ସହ ପଞ୍ଜାବର ନେତାମାନଙ୍କୁ ସର୍ବସାଧାରଣ ହେଉ କିମ୍ବା ଗଣମାଧ୍ୟମରେ ପରସ୍ପର ବିରୁଦ୍ଧରେ ନିଜର ଅଭିଯୋଗ ଏବଂ ମତାମତ ନ ଦିଅନ୍ତୁ ବୋଲି ରାୱତ ଅନୁରୋଧ କରିଛନ୍ତି । ଯଦି ଏପରି କିଛି ପରିସ୍ଥିତି ଉପୁଜେ ତାହାଲେ ସେମାନେ
ପାର୍ଟି ଫୋରମ୍ ମଧ୍ୟରେ ସେମାନଙ୍କ ପ୍ରସଙ୍ଗ ଉଠାନ୍ତୁ ବୋଲି କହିଛନ୍ତି । ଅନ୍ୟପଟେ ଉଭୟ ହେଭିୱେଟ୍ ନେତାଙ୍କ ମଧ୍ୟରେ ଉପୁଜିଥିବା ମତ ଭେଦ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡେରିରେ ହେଉ ପଛେ ଏଥିରେ ହସ୍ତକ୍ଷେପ କରିଛନ୍ତି । ଯାହା ଦଳକୁ ମଜଭୁତ କରିବାରେ ସହାୟକ ହେବ ।