‘ସରକାରରୁ ହଟିବା ପରେ ମୋ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା’; ପାକ୍ ସରକାରଙ୍କ ଉପରେ ବର୍ଷିଲେ ଇମ୍ରାନ୍ ଖାନ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାକିସ୍ତାନରେ ପୂର୍ବତନ ପ୍ରଧାନମମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ଏବେବି ସେଠାରେ ରାଜନୀତି ସରଗରମ ରହିଛି। ଗୁଳିମାଡ଼ ପରେ ଇମ୍ରାନ୍ ଗଣମାଧ୍ୟମକୁ ଆସି ଅନେକ ଅଭିଯୋଗ କରିଛନ୍ତି। ପୁଣି ଥରେ ଇମ୍ରାନ ଗଣମାଧ୍ୟମରେ ପାକିସ୍ତାନ ସରକାରଙ୍କ ଉପରେ ବର୍ଷିଛନ୍ତି।

ନ୍ୟୁଜ ଏଜେନ୍ସି ସିଏନଏନକୁ ଦେଇଥିବା ସାକ୍ଷାତକାରରେ ଇମ୍ରାନ୍ କହିଛନ୍ତି ଯେ, ଗୁଞ୍ଜରଓ୍ବାଲାରେ ରାଲିରେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ସର୍ଜରୀ ପରେ ତାଙ୍କ ଡାହାଣ ଗୋଡ଼ରୁ ତିନିଟି ଗୁଳି ବାହାର କରାଯାଇଛି।

ଇମ୍ରାନ୍ ଖାନ୍ ଏହା ମଧ୍ୟ କହିଛନ୍ତି ଯେ, ଆକ୍ରମଣ ନେଇ ତାଙ୍କୁ ପୂର୍ବରୁ ସୂଚନା ମିଳିଥିଲା। ଗୁଇନ୍ଦା ସଂସ୍ଥା ତାଙ୍କୁ ଏନେଇ ସୂଚନା ଦେଇଥିଲେ। ଏନେଇ ସେ କହିଛନ୍ତି ଯେ, ମୁଁ ସାଢ଼େ ତିନି ବର୍ଷ ଦେଶରେ ଶାସନରେ ରହିଥିଲି। ମୋ ପାଖରେ ଗୁଇନ୍ଦା ଏଜେନ୍ସୀ, ବିଭିନ୍ନ ଏଜେନ୍ସୀ ସହ ଏବେବି ସଂପର୍କ ରହିଛି।

ଇମ୍ରାନ ଆହୁରି କହିଛନ୍ତି ଯେ, ତାଙ୍କୁ ହତ୍ୟା ଷଡ଼ଯନ୍ତ୍ର ଦୁଇମାସ ଆଗରୁ ଯୋଜନା କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଇମ୍ରାନ କହିଛନ୍ତି ‘ଏହି ଯୋଜନା ସବୁ ମୁଁ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଆରମ୍ଭ ହୋଇଛି। ଏଥିରେ ସିଧାସଳଖ ପାକିସ୍ତାନରେ ସରକାରଙ୍କ ହାତ ରହିଛି।ଅନୁମାନ କରାଯାଉଥିଲା ଯେ ମୋ ଦଳ ମୋ ଠାରୁ ଅଲଗା ହୋଇଯିବ। କିନ୍ତୁ ଏହା ହେବା ପରିବର୍ତ୍ତେ ମୋ ପାର୍ଟୀକୁ ଅପାର ଜନସମର୍ଥନ ମିଳିଛି।’

ଏଆରଓ୍ବାଇ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ୍ ଦାବି କରିଛନ୍ତି ଯେ, ବର୍ତ୍ତମାନର ସରକାର ତାଙ୍କ ଉପରେ ଆକ୍ରମଣ ଯୋଜନା କରିଥିଲେ । ସେ କହିଥିଲେ ଯେ ଏହା ଏକ ସୁଚିନ୍ତିତ ହତ୍ୟା ଯୋଜନା ଥିଲା।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଇମ୍ରାନ ଖାନ୍ ଦେଶର ରାଷ୍ଟ୍ରପତି ଆରିଫ ଅଲ୍ଭୀ୍‌ଙ୍କୁ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ସେ ଦେଶରେ ସତ୍ତାର ଦୁରୂପଯୋଗ ଏବଂ ଆଇନ ଏବଂ ସମ୍ବିଧାନର ଉଲ୍ଲଘଂନ ହେଉଛି ବୋଲି ଦର୍ଶାଇଥିଲେ ଓ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।

Related Posts