କୋଭାକ୍ସିନ ତୁଳନାରେ କୋଭିଶିଲ୍ଡ ଟିକାରେ ଅଧିକ ଆଣ୍ଟିବଡି ତିଆରି ହୁଏ : ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ମୁକାବିଲାରେ ସବୁଠାରୁ ବଡ ଅସ୍ତ୍ର ହେଉଛି ଟିକା। ବର୍ତ୍ତମାନ ଭାରତରେ ବ୍ୟାପକ ଭାବେ ଦୁଇଟି ଟିକା ଦିଆଯାଉଛି। ଗୋଟିଏ ହେଉଛି ସେରମ୍ ଇନଷ୍ଟିଚ୍ୟୁଟ ର କୋଭୋଶିଲ୍ଡ ଏବଂ ଅନ୍ୟଟି ହେଉଛି ଭାରତ ବାୟୋଟେକ ଦ୍ବାରା ନିର୍ମିତ କୋଭାକ୍ସିନ । ଟିକାକୁ ନେଇ ଭାରତରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରୁ ଜଣାପଡିଛି ଯେ କୋଭାକ୍ସିନ ଟିକା ତୁଳନାରେ କୋଭିଶିଲ୍ଡ ଟିକାରେ ଅଧିକ ଆଣ୍ଟିବଡି ତିଆରି ହେଉଛି । ଏହି ଅଧ୍ୟୟନ କରୋନା ଭାଇରସ୍ ଭ୍ୟାକ୍ସିନ୍- ଇନଡେକ୍ଟେଡ ଆଣ୍ଟିବଡି ଟାଇଟର୍ (COVAT) ଦ୍ୱାରା କରାଯାଇଛି। ଏହି ଅଧ୍ୟୟନରେ ଡାକ୍ତର ଏବଂ ନର୍ସମାନେ ସାମିଲ ହୋଇଥିଲେ।“ ଜାନୁଆରୀରୁ ମେ ମାସ ମଧ୍ୟରେ ୨୨ଟି ସହରର ୫୧୫ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ମଧ୍ୟରେ (୩୦୫ ପୁରୁଷ, ୨୧୦ ମହିଳା), ୯୫ ପ୍ରତିଶତ ଉଭୟ ଟିକାକରଣର ଦୁଇଟି ଡୋଜ ପରେ ଉଚ୍ଚ ଆଣ୍ଟିବଡି ପ୍ରଦର୍ଶନ କରିଥିଲେ। ୪୨୫ କୋଭିଶିଲ୍ଡ ଏବଂ ୯୦ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ଯଥାକ୍ରମେ ୯୮.୧ ପ୍ରତିଶତ ଏବଂ ୮୦ ପ୍ରତିଶତ ଉଚ୍ଚ ଆଣ୍ଟିବଡି ଦେଖାଦେଇଥିଲା। କୋଭିଶିଲ୍ଡ କିମ୍ବା କୋଭାକ୍ସିନ ଟିକା ମଧ୍ୟରୁ ଗୋଟିଏ କିମ୍ବା ଉଭୟ ଡୋଜ ନେବା ପରେ କେବଳ ୬% ଙ୍କ ପଜିଟିଭ୍ ଚିହ୍ନଟ ହୋଇଥିଲେ। କୋଭିଶିଲ୍ଡର ଗୋଟିଏ ଡୋଜ କୋଭାକ୍ସିନ ଅପେକ୍ଷା ୧୦ ଗୁଣ ଅଧିକ ଆଣ୍ଟିବଡି ଉତ୍ପାଦନ କରିଥିଲା ​​ବୋଲି ରିପୋର୍ଟରେ କୁହାଯାଇଛି । ଦ୍ୱିତୀୟ ଡୋଜ୍ ଦିଆଯିବା ପରେ, ଦେଖାଗଲା ଯେ କୋଭିଶିଲ୍ଡର ଦୁଇ ସଟ କୋଭାକ୍ସିନ ଅପେକ୍ଷା ପ୍ରାୟ ୬ ଗୁଣ ଅଧିକ ଆଣ୍ଟିବଡି ଉତ୍ପାଦନ କରିଛି । ଅଧ୍ୟୟନର ଫଳାଫଳ ଅନୁଯାୟୀ ଉଭୟ ଟିକା କରୋନା ଭାଇରସ ଉପରେ ପ୍ରଭାବଶାଳୀ। ଏହି ଅଧ୍ୟୟନରେ ଭାଗ ନେଇଥିବା ୨୭ ଜଣ ଅଂଶଗ୍ରହଣକାରୀ ଯିଏ ଦୁଇ ଡୋଜ ଟିକା ନେଇଥିଲେ ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିମଧ୍ୟରୁ ୨ ଜଣଙ୍କ ଠାରେ ମଧ୍ୟମ ଏବଂ ଅବଶିଷ୍ଟ ଅଂଶଗ୍ରହଣକାରୀଙ୍କ ଠାରେ ସାମାନ୍ୟ ସଂକ୍ରମଣ ଦେଖାଦେଇଥିଲା। କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ପଜିଟିଭିଟି ହାର ମଧ୍ୟ ଖୁବ୍ କମ୍ ରହୁଥିବା ଦେଖିବାକୁ ମିଳିଛି । ହେଲେ କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତିଙ୍କ ହାର ଆଶିଂକ ଅଧିକ ରହିଥିବା ଜଣାପଡିଛି ।

Related Posts