ଓଡ଼ିଶା ଆଡ଼କୁ ମାଡି ଆସୁଛି ବାତ୍ୟା ବିପଦ: ଆସନ୍ତା ୧୦ କିମ୍ବା ୧୧ ତାରିଖରେ ସମ୍ଭାବ୍ୟ ବାତ୍ୟା ହୋଇପାରେ ମାଡ଼

ଭୁବନେଶ୍ୱର: ଓଡ଼ିଶା ଉପରେ ଏବେ ଏକ ବାତ୍ୟା ବିପଦ । ଖୁବ୍ କ୍ଷୀପ୍ର ଗତିରେ ବାତ୍ୟା ଆସୁଛି । ଯାହା ଆସନ୍ତା ୧୦ କିମ୍ବା ୧୧ ତାରିଖରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ । ଏହା କେଉଁ ସ୍ଥାନରେ ସ୍ଥଳଭାଗକୁ ପଶିବ, ଏବେ କହି ହେବନି । ଏହା କେବଳ ପ୍ରାକ ଆକଳନ । ଆଗକୁ ପାଣିପାଗର ସମ୍ଭାବ୍ୟ ଚିତ୍ର ମଧ୍ୟ ବଦଳିପାରେ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଜିଏଫଏସ ମଡେଲର ସମ୍ଭାବ୍ୟ ଚିତ୍ର ମାଧ୍ୟମରେ ବାତ୍ୟା ସୃଷ୍ଟି ନେଇ ସଙ୍କେତ ଦେଖାଇଛି । ଏଥିରୁ ଜଣାପଡ଼ୁଛି, ଆସନ୍ତା ୭ କିମ୍ବା ୮ ତାରିଖବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ମିଆଁମାରର ପଶ୍ଚିମ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୯ ତାରିଖବେଳକୁ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ କିମ୍ବା ବାତ୍ୟା ରୂପ ନେବ । ୧୦ ତାରିଖବେଳକୁ ଏହା ପୁରୀରୁ ପାରାଦୀପ ମଝିରେ ଓଡ଼ିଶା ଉପକୂଳ ଛୁଇଁପାରେ । ବିଭିନ୍ନ ମଡେଲ୍‌ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ଆଉ କେତେକ ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ଗୋପାଳପୁରରୁ ବାଲେଶ୍ୱର ଭିତରେ ଯେ କୌଣସି ସ୍ଥାନରେ ଉପକୂଳ ଛୁଇଁବା ସମ୍ଭାବନା ଅଛି । ଖାଲି ସେତିକି ନୁହେଁ, ଏହା ଓଡ଼ିଶା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ପ୍ରବେଶ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

ବିଭିନ୍ନ ମଡେଲର ଆକଳନକୁ ବିଶ୍ଳେଷଣ କରି ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ପ୍ରଫେସର ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପ୍ରାକ ଆକଳନରେ ଦର୍ଶାଇଛନ୍ତି, ଦକ୍ଷିଣ ଚାଇନା ସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟର ଅଂଶବିଶେଷ ଥାଇଲାଣ୍ଡ ଦେଇ ବଙ୍ଗୋପସାଗରରେ ୭ ତାରିଖବେଳକୁ ଲଘୁଚାପ ତିଆରି କରିପାରେ । ଏହା ୮ରେ ଅବପାତ ଓ ୯ରେ ଗଭୀର ଅବପାତ କିମ୍ବା ବାତ୍ୟା ରୂପ ନେବା ସହ ଓଡ଼ିଶା ଉପକୂଳକୁ ମୁହାଁଇବା ସମ୍ଭାବନା ଅଛି । ଯଦି ଏମିତି ହୁଏ, ତେବେ ସମ୍ଭବତଃ ୧୧ ତାରିଖରେ ତାହା ଓଡ଼ିଶା କିମ୍ବା ସଂଲଗ୍ନ ଉପକୂଳ ଛୁଇଁପାରେ।

Related Posts