ପୂର୍ବତନ ସାଂସଦ ଜୟନ୍ତ ଚୌଧୁରୀ ହେଲେ ଆରଏଲଡିର ରାଷ୍ଟ୍ରୀୟ ସଭାପତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ର ରାଷ୍ଟ୍ରୀୟ ସଭାପତି ହେଲେ ପୂର୍ବତନ ଲୋକସଭା ସାଂସଦ ଜୟନ୍ତ ଚୌଧୁରୀ ମଙ୍ଗଳବାର ଦିନ ତାଙ୍କୁ ଦଳର ନୂତନ ରାଷ୍ଟ୍ରୀୟ ସଭାପତି ଭାବରେ ନିଯୁକ୍ତ କରାଯାଇଛି। ଜୟନ୍ତଙ୍କ ପିତା ତଥା ଦଳର ସଭାପତି ଅଜିତ ସିଂ ମେ ୬ ତାରିଖରେ କରୋନାରେ ପ୍ରାଣ ହରାଇଥିଲେ। ଏହାପରେ ଜୟନ୍ତଙ୍କୁ ଦଳର ସଭାପତି ଦାୟିତ୍ୱ ଦିଆଯାଇଛି। ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ୪୨ ବର୍ଷିୟ ଜୟନ୍ତଙ୍କୁ ସଭାପତି ଭାବେ ଚୟନ କରାଯାଇଥିଲା। ସେ ପୂର୍ବରୁ ଦଳର ଉପ ସଭାପତି ଦାୟିତ୍ୱରେ ଥିଲେ। ଏହି ଭର୍ଚୁଆଲ ବୈଠକରେ ଦଳର ସାଧାରଣ ସମ୍ପାଦକ ତ୍ରିଲୋକ ତ୍ଯାଗି ଆରଏଲିଡିର ରାଷ୍ଟ୍ରୀୟ ସଭାପତି ପଦ ପାଇଁ ଜୟନ୍ତଙ୍କ ନାମ ପ୍ରସ୍ତାବିତ କରିଥିଲେ । ପୂର୍ବତନ ସାଂସଦ ତଥା ଜାତୀୟ ସାଧାରଣ ସମ୍ପାଦକ ମୁନ୍ସିରାମ ପାଲଙ୍କ ପ୍ରସ୍ତାବକୁ ଅନୁମୋଦିତ ହୋଇଥିଲା ଏବଂ ସର୍ବସମ୍ମତି କ୍ରମେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ମାନେ ଜୟନ୍ତ ଚୌଧୁରୀଙ୍କୁ ଦଳର ରାଷ୍ଟ୍ରୀୟ ସଭାପତି ଭାବେ ଚୟନ କରିଥିଲେ। ଆରଏଲଡିର ନୂତନ ସଭାପତି ଭାବେ ନିଯୁକ୍ତି ପାଇବା ପରେ ଚୌଧୁରୀ ଦଳର ସଦସ୍ୟମାନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ।

ଦଳୀୟ କର୍ମୀ ଓ ନେତା ମାନଙ୍କୁ ପାର୍ଟିର ଆଦର୍ଶ ଚୌଧୁରୀ ଚରଣ ସିଂ ଏବଂ ଅଜିତ ସିଂଙ୍କ ପଥ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ। ସେ ଟ୍ବିଟ୍ କରି କହିଛନ୍ତି ଯେ,  ” ଆଗାମୀ ଦିନରେ ଦଳର ସଂଗଠନକୁ ମଜବୁତ କରିବାକୁ ଚେଷ୍ଟା କରିବି ଏବଂ ଆମର ବିଚାରଧାରାକୁ ଆଗକୁ ବଢାଇବି। “ତାଙ୍କ ପିତା ଅଜିତ ସିଂ କେନ୍ଦ୍ର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଅନେକ ଥର ସାଂସଦ ଥିଲେ। ପୂର୍ବତନ ଲୋକସଭା ସାଂସଦ ଜୟନ୍ତ ଚୌଧୁରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ଏବଂ 2002 ରେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସରୁ ଆକାଉଣ୍ଟିଂ ଆଣ୍ଡ ଫାଇନାନ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ତେବେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ଦଳ କଡା ବିରୋଧ କରିବା ସହ କେନ୍ଦ୍ରର ବିଜେପି ସରକାରଙ୍କୁ କଡା ସମାଲୋଚନା କରିଛି। ତେବେ ଆସନ୍ତା ବର୍ଷ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନ ପାଇଁ ଦଳ କଠିନ ପରିଶ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛି। 

Related Posts