ବିହାରର ଡନ୍ ତଥା ପୂର୍ବତନ ସାଂସଦ ଶାହବୁଦ୍ଦିନଙ୍କ କରୋନାରେ ମୃତ୍ୟୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିହାରର ବାହୁବଳୀ ନେତା ତଥା ପୂର୍ବତନ ଆରଜେଡି ସାଂସଦ ମହମ୍ମଦ ଶାହାବୁଦ୍ଦିନ ୫୩ ବର୍ଷ ବୟସରେ କରୋନାରେ ପ୍ରାଣ ହରାଇଛନ୍ତି। ତିହାଡ ଜେଲ ଡିଜି ସନ୍ଦୀପ ଗୋଏଲ ଏହି ସୂଚନା ଦେଇଛନ୍ତି। ହତ୍ୟା ମାମଲାରେ ସେ ତିହାଡ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ । ନିକଟରେ ସେ ଜେଲ୍ ରେ କରୋନା ସଂକ୍ରମଣର ଶିକାର ହୋଇଥିଲେ ଏବଂ ଦିଲ୍ଲୀର ଦୀନ୍ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଶାହାବୁଦ୍ଦିନଙ୍କ ବିରୋଧରେ ତିରିଶରୁ ଅଧିକ ଅପରାଧିକ ମାମଲା ରହିଥିଲା।ଶାହାବୁଦ୍ଦିନଙ୍କୁ ଗତ ମାସରେ 21 ଏପ୍ରିଲରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କରୋନା ସଂକ୍ରମଣ ପରେ ତାଙ୍କ ଅବସ୍ଥା ଗୁରୁତର ଥିଲା। ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ର ପୂର୍ବତନ ନେତା ଶାହାବୁଦ୍ଦିନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ 2018 ରେ ବିହାରର ସିୱାନ ଜେଲରୁ ତିହାଡ ଜେଲକୁ ଅଣାଯାଇଥିଲା । ଶାହାବୁଦ୍ଦିନଙ୍କ ପରିବାର ଅନୁଯାୟୀ, ଶୁକ୍ରବାର ରାତିରୁ ସେ କୋମାରେ ଥିଲେ। ପରିବାର ଗତକାଲି ତିହାଡ ଜେଲ୍ ପ୍ରଶାସନକୁ ଅବହେଳା କରିଥିବା ଅଭିଯୋଗ କରି କହିଥିଲେ ଯେ ତିହାଡ ଜେଲ ପ୍ରଶାସନ କୋହିଦ୍ ନାମକ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଶାହାବୁଦ୍ଦିନ ଏବଂ ଛୋଟା ରାଜନ ୱାର୍ଡକୁ ସ୍ଥାନାନ୍ତର କରିଛି । ଉଭୟ ଶାହାବୁଦ୍ଦିନ ଏବଂ ଛୋଟା ରାଜନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଦିଲ୍ଲୀର ତିହାଡ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପୂର୍ବତନ ଆରଜେଡି ସାଂସଦ ଶାହାବୁଦ୍ଦିନ ପ୍ରାୟ 10 ଦିନ ପୂର୍ବରୁ କରୋନା ସଂକ୍ରମଣର ଶିକାର ହୋଇଥିଲେ।

Related Posts