” ପ୍ରିୟ ମୁଖ୍ୟମନ୍ତ୍ରୀ, ଓବିସି ଯୁବକ ଯୁବତୀମାନେ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଚାହୁଁଛନ୍ତି ବିଜେଡିର ଟିକେଟ୍ ନୁହେଁ ” : କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଗକୁ ବାଜିପାରେ ପୌର ଓ ପଞ୍ଚାୟତ ନିର୍ବାଚନ ବିଗୁଲ୍ । ନିର୍ବାଚନକୁ ଆଖି ଆଗରେ ରଖି ବିଜୁ ଜନତା ଦଳ ଖେଳିଛି ଓବିସି କାର୍ଡ଼ । ଲଗାତାର ନିର୍ବାଚନୀ ସଫଳତା ପାଉଥିବା ବିଜୁ ଜନତା ଦଳ ଶେଷରେ ପଛୁଆ ବର୍ଗଙ୍କୁ ରାଜ୍ୟ ରାଜନୀତି କେନ୍ଦ୍ରକୁ ଆଣିଛି । ବିଜେଡି ଆସନ୍ତା ପଂଚାୟତ ନିର୍ବାଚନ ସମେତ ସମସ୍ତ ନିର୍ବାଚନରେ ୨୭% ଟିକେଟ୍ ପଛୁଆ ବର୍ଗ(ଓବିସି)ର ପ୍ରାର୍ଥୀଙ୍କୁ ଦେବ । 

ନିର୍ବାଚନରେ ୨୭% ଟିକେଟ୍ ଓବିସି ବର୍ଗର ଲୋକଙ୍କୁ ଦେବ ବିଜେଡି 

୧୩ ଅଗଷ୍ଟ ୨୦୨୧ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଦୁଇ ଜଣ ବରିଷ୍ଠ ନେତା ଘୋଷଣା କରିଥିଲେ ଯେ, ବିଜେଡି ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଏବଂ ସମସ୍ତ ନିର୍ବାଚନରେ ୨୭% ଟିକେଟ୍ ଓବିସି ବର୍ଗର ଲୋକଙ୍କୁ ଦେବ। ଏହି ଦୁଇ ଜଣ ନେତା ଘୋଷଣା କରିଥିଲେ ଯେ ଓବିସି ସଂଶୋଧନ ବିଲ୍ ସଂସଦରେ ଗୃହୀତ ହୋଇଛି। ଏଣିକି ରାଜ୍ୟଗୁଡ଼ିକ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ(ଏସଇବିସି) ତାଲିକା ପୂର୍ବଭଳି ପ୍ରସ୍ତୁତ କରିପାରିବେ। କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ନାମ ଲେଖାରେ ସଂରକ୍ଷଣ ସୁବିଧା ପାଉଛନ୍ତି। ସେହିପରି ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ ବଳରେ ରାଜ୍ୟ ସରକାର ଚାହିଁଲେ କୌଣସି ଯୋଗ୍ୟ ଜାତିକୁ ଏସଇବିସି ତାଲିକାରେ ସାମିଲ କରିପାରୁଛନ୍ତି । ରାଜ୍ୟର ୨୦୯ଟି ଜାତି ଓ ଉପଜାତି ଏବେ ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ ଥିବାବେଳେ ରାଜ୍ୟଗୁଡ଼ିକ ଏସଇବିସି ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ହୋଇଛି। କିନ୍ତୁ ସଂରକ୍ଷଣରେ ଥିବା ୫୦ପ୍ରତିଶତ ସୀମାକୁ ଉଠାଇବାକୁ ବିଜେଡି ସମେତ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି, ଯେଉଁଥିପାଇଁ ଓବିସି ବର୍ଗ ବା ଏସଇବିସି ବର୍ଗର ଲୋକଙ୍କୁ ମାତ୍ର ୨୭% ସଂରକ୍ଷଣ ରାଜ୍ୟରେ ଦିଆଯାଇପାରୁନି । ରାଜ୍ୟ ସରକାରଙ୍କ ଏସଇବିସି ଆଇନ-୨୦୦୮ରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ ଯୋଗୁ ୨୭% ସଂରକ୍ଷଣ ଦେବା ସମ୍ଭବପର ହେଉନାହିଁ। ତେବେ ପଛୁଆ ବର୍ଗଙ୍କ ସଠିକ ଗଣନା କରାଗଲେ ଅବା ଜାତିଭିତ୍ତିକ ଗଣନା ହେଲେ ତାକୁ ଆଧାର କରି ୫୦% ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ ବୋଲି ବିଜେଡିର ଦୁଇ ଜଣ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁ କହିଛନ୍ତି।

ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗର ୨୭% ଲୋକ ପ୍ରାର୍ଥୀ କରିବାର ନିଷ୍ପତ୍ତି ଏମିତି ଏକ ସମୟରେ ଆସିଛି ଯେତେବେଳେ କି ଏହାର ଠିକ୍ ଦୁଇ ଦିନ ପୂର୍ବରୁ ଏକ କେନ୍ଦ୍ରୀୟ ଆଇନ ଜରିଆରେ ସଂରକ୍ଷଣରେ ଥିବା ୫୦ ପ୍ରତିଶତ ସୀମାକୁ ଉଠାଇବାକୁ ୨୦୨୧ ଜନଗଣନାରେ SEBC ଜନଗଣନା ପାଇଁ ରାଜ୍ୟ ଦାବି କରିଛି। ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ଶେଷ ବେଳକୁ ବିଧାନସଭାରେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ (ସଂଶୋଧନ) ବିଲ୍ ପାରିତ ହୋଇଛି। ଏହି ବିଲ୍ ଓବିସି କମିଶନଙ୍କୁ ରାଜ୍ୟରେ SEBC ସର୍ଭେ କରିବାକୁ ଅନୁମତି ଦେଇଥାଏ। କିନ୍ତୁ ରାଜ୍ୟରେ SEBC ର ପ୍ରକୃତ ଜନସଂଖ୍ୟା ସମ୍ବନ୍ଧରେ ବୈଜ୍ଞାନିକ ତଥ୍ୟ ନାହିଁ ବୋଲି ଦର୍ଶାଇ ବିଜେଡି ସରକାର ଏହି ପ୍ରକ୍ରିୟାକୁ ବିଳମ୍ବ କରୁଛନ୍ତି। ଯେହେତୁ ୧୯୩୧ ମସିହାରେ ଶେଷ ଥର ପାଇଁ ଓବିସି ଜନଗଣନା ହୋଇଥିଲା ତେଣୁ ରାଜ୍ୟରେ ଏହା ଏକ ନିର୍ଭରଯୋଗ୍ୟ ତଥ୍ୟ ନୁହେଁ। କାରଣ ପ୍ରାୟ ୯୦ ବର୍ଷ ପୂର୍ବେ ଓବିସି ଜନଗଣନା ହୋଇଥିଲା।

କଂଗ୍ରେସ କହିଲା ଡାର୍ଟି ପଲିଟିକ୍ସ ବନ୍ଦ କରୁ ବିଜେଡ଼ି :- 

୨୭% ଓବିସି ପ୍ରାର୍ଥୀ ସରଂକ୍ଷଣ ନେଇ ବିଜେଡିର ଘୋଷଣାକୁ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି। ଓବିସିଙ୍କୁ ଆଗ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ସଂରକ୍ଷଣ ଦିଅନ୍ତୁ ବୋଲି ଉଭୟ ଦଳ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ବିଜୁ ଜନତା ଦଳକୁ କଡା ସମାଲୋଚନା କରି ପିସିସି ମିଡ଼ିଆ ସେଲ୍ ସଂଯୋଜକ, ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶାରେ ଓବିସି ସଂଖ୍ୟା ବହୁଳ ଏବଂ ସେମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବାରେ ବିଜେଡ଼ି ବିଫଳ ହୋଇଛି। ବିଭିନ୍ନ ଆଳ ଦେଖାଇ ତାଙ୍କୁ ଅବହେଳିତ କରାଯାଇଛି। ଏସଇବିସି  ଏବଂ ଓବିସିଙ୍କ ତାଲିକା ରାଜ୍ୟ ସରକାରଙ୍କ ପାଖରେ ଥାଇ ଓବିସି  ଗଣନାକୁ ଆଳ ଦେଖାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ ବିଜେଡିକୁ ପ୍ରଶ୍ନ କରିଛନ୍ତି ଯେ, ବିଜେଡ଼ି ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କଥା କହିଛି। ସରକାର କାହିଁକି ଚାକିରି ଓ ଶିକ୍ଷା କ୍ଷେତ୍ରରେରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଦେଇ ନାହାନ୍ତି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ? ରାଜ୍ୟ ସରକାର ବିଧାନସଭାରେ କାହିଁକି ଏ ଦିଗରେ ସଂକଳ୍ପ ପରିତ କରି ସାଂସଦଙ୍କୁ ପଠାଇଲେ ନାହିଁ ? କିନ୍ତୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ସାଥିରେ ବିଜୁ ଜନତା ଦଳର ସାଂସଦ ମାନେ ଫଟୋ ଉଠାଇ ଡାର୍ଟି ପଲିଟିକ୍ସ କରୁଛନ୍ତି ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ। ତେବେ ରାଜ୍ୟ ସରକାର କାହିଁକି ବିଧାନସଭାରେ ଏକ ସଂକଳ୍ପ ପାରିତ କରି କେନ୍ଦ୍ର ସରକାରଙ୍କୁ ପଠାଇଲେ ନାହିଁ ? ଓବିସିମାନଙ୍କ କ୍ଷେତ୍ରରେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଆପଣ ଧୋକା ଦେଇଥିବା କଂଗ୍ରେସ ପାର୍ଟି ଅଭିଯୋଗ କରିଛି।

କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ” ବିଜେଡି ରାଜ୍ୟର ଜନସଂଖ୍ୟାର ୫୨ ପ୍ରତିଶତରୁ ଅଧିକ SEBC / OBC ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛି ବୋଲି ସତ୍ୟ ନାୟକ କହିଛନ୍ତି ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ ହେଉଛି ଦେଶର OBC / SEBC ଲୋକଙ୍କ ଏକ ସମ୍ବିଧାନ ବ୍ୟବସ୍ଥା ଏବଂ ଦୁର୍ଭାଗ୍ୟବଶତଃ ନବୀନ ସରକାର ଦୁଇ ଦଶନ୍ଧି ଧରି ଲକ୍ଷ ଲକ୍ଷ ଓବିସି ଲୋକଙ୍କୁ ରାଜ୍ୟ ଅଧିକାରରୁ ବଞ୍ଚିତ କରିଆସୁଛନ୍ତି । ଶ୍ରୀ ନାୟକ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ “ପ୍ରିୟ ନବୀନ ବାବୁ, ଦୟାକରି ବୁଝିବାକୁ ଚେଷ୍ଟା କରନ୍ତୁ, ଓଡିଶାର ଲକ୍ଷ ଲକ୍ଷ SEBC / OBC ଯୁବକ ସରକାରୀ କ୍ଷେତ୍ରରେ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୨୭ % ସଂରକ୍ଷଣ ଚାହୁଁଛନ୍ତି। ସେମାନେ ବିଜେଡି ପାର୍ଟି ଟିକେଟ୍ ଦାବି କରନ୍ତି ନାହିଁ ବୋଲି ସତ୍ୟ ନାୟକ କହିଛନ୍ତି।  ନବୀନ ପଟ୍ଟନାୟକ ସରକାର ଓବିସି ବିରୋଧୀ ଏବଂ ତାଙ୍କ ସରକାର ୨୭% ସଂରକ୍ଷଣ ଦେବାକୁ ଚାହୁଁ ନାହିଁ, ସେଥିପାଇଁ ସେମାନେ ସୁପ୍ରିମକୋର୍ଟର ୫୦ % କ୍ୟାପ୍ ଆଳ ଦେଖାଉଛନ୍ତି ବୋଲି ସେ କହିଛନ୍ତି।  ଯଦି ସର୍ବାଧିକ ସଂରକ୍ଷଣ ସୀମା ୫୦ % ରୁ ଅଧିକ ତେବେ ଭାରତ ସରକାର ଏବଂ ଅନ୍ୟାନ୍ୟ ରାଜ୍ୟରେ ଏହା କିପରି ଅଧିକ ହେବ ବୋଲି କଂଗ୍ରେସ ପ୍ରଶ୍ନ କରିଛି।  ପ୍ରଥମେ ବିଜେଡି ସରକାର ଓବିସି କମିଶନଙ୍କୁ ଏକ ଦଶନ୍ଧି ଧରି ଅଟକାଇ ରଖିଥିଲେ। ବର୍ତ୍ତମାନ ସେମାନେ ଜାତି ଜନଗଣନା ଦାବି କରୁଛନ୍ତି। କଂଗ୍ରେସ କହିଛି ଯେ ୟୁପିଏ ସରକାରଙ୍କ ଦ୍ୱାରା କରାଯାଇଥିବା ସାମାଜିକ ଅର୍ଥନୈତିକ ଜନଗଣନାରେ ଆବଶ୍ୟକୀୟ ତଥ୍ୟ ରହିଛି, ତେଣୁ ରାଜ୍ୟ ସରକାର କାହିଁକି ସେହି ତଥ୍ୟ ଅନୁଯାୟୀ ବ୍ୟବସ୍ଥା କରିବାକୁ ଗ୍ରହଣ କରୁନାହାଁନ୍ତି ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ପଚାରିଥିଲେ।

୨୭% ଓବିସି ପ୍ରାର୍ଥୀ ଏକ ରାଜନୈତିକ ଚାଲ୍ , ଯଦି ନବୀନ ପଟ୍ଟନାୟକ ରାଜ୍ୟର SEBC / OBC ଲୋକଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ପ୍ରକୃତରେ ଆଗ୍ରହୀ ଅଟନ୍ତି, ତେବେ ସେ କାହିଁକି ବିଜେଡି ଦଳର ସଭାପତି କିମ୍ବା ମୁଖ୍ୟମନ୍ତ୍ରୀ ପଦରେ ଜଣେ ଓବିସି ନେତାଙ୍କୁ ବସାଇ ନାହାନ୍ତି ବୋଲି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ପ୍ରଶ୍ନ କରିଛନ୍ତି । ଏପଟେ  ରାଜ୍ୟ ବିଜେପି ମଧ୍ୟ ବିଜେଡିର ଏହି ନିଷ୍ପତ୍ତିକୁ ନିନ୍ଦା କରିଛି।  ଗତ ୨୦୧୯ ନିର୍ବାଚନରେ ବିଜେପି ୩୫ % ରୁ ଅଧିକ ଓବିସି ବର୍ଗର ଲୋକଙ୍କୁ ଟିକେଟ ଦେଇଛି। ଏହା ବିଜେଡିର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ବରିଷ୍ଠ ବିଜେପି ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି ।  

Related Posts