ଓବିସି ପଲଟିକ୍ସ : ଜାତିଭିତ୍ତିକ ଜନଗଣନା ଦାବି ସହ ସାମିଲ ହେବାକୁ ବିଜେପିକୁ ଆହ୍ଵାନ ଦେଲା ବିଜେଡ଼ି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଜାତିଭିତ୍ତିକ ଜନଗଣନାକୁ ନେଇ ଜାତୀୟ ରାଜନୀତି ସରଗରମ ଥିବା ବେଳେ ରାଜ୍ୟ ରାଜନୀତିରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। OBC ନ୍ୟାୟ ପାଇଁ ୫୦% ସଂରକ୍ଷଣ ସୀମା ଉଠାଇବା ଦାବିକୁ ଜୋରଦାର କରିଛି ବିଜୁ ଜନତା ଦଳ । ମଙ୍ଗଳବାର ବିଜେଡ଼ିର ଦୁଇ ବରିଷ୍ଠ ନେତା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ସାମ୍ବାଦିକ ସମ୍ମିଳନୀ କରି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ସରକାର ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ବଦ୍ଧ ପରିକର । କିନ୍ତୁ ସଂଘୀୟ ଢ଼ାଞ୍ଚା ଓ ଆଇନଗତ କଟକଣା ଏଥିରେ ବାଧା ସାଜୁଥିବା ବିଜେଡ଼ି ନେତା କହିଛନ୍ତି । 

ଦଳର ଏହି ଦୁଇ ବରିଷ୍ଠ ନେତା କହିଛନ୍ତି ଯେ , ପଛୁଆ ବର୍ଗଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିବା ପୂର୍ବରୁ ସେମାନଙ୍କ ସଂଖ୍ୟା ଜାଣିବା ଦରକାର। ତେବେ କେନ୍ଦ୍ର ମନା କଲା ପରେ ରାଜ୍ୟ ସରକାର ୨୦୨୦ ମସିହା ଜାନୁଆରୀ ୧୧ ତାରିଖରେ କ୍ୟାବିନେଟ ବୈଠକ ଡକାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଜାତି ଭିତ୍ତିକ ଜନଗଣନା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାର କିଛି ଦିନ ପରେ ରାଜ୍ୟ ସରକାର ୨୦୨୦ ମସିହା ଫେବୃୟାରୀ ୧୨ ତାରିଖରେ ଓବିସି କମିଶନ ଗଠନ କରିଥିଲେ । ତେବେ ଏହାର ଠିକ୍ ୫ ଦିନ ପରେ ଅର୍ଥାତ୍ ଫେବୃୟାରୀ ୧୭ ତାରିଖରେ କ୍ୟାବିନେଟ୍ ବୈଠକରେ ପଛୁଆବର୍ଗ କମିସନ (ସଂଶୋଧନ) ବିଧେୟକ ଗୃହୀତ ହୋଇଥିଲା । ସେହିଦିନ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ନିଜେ ପ୍ରସ୍ତାବ ଆଗତ କରିଥିଲେ ।

କିନ୍ତୁ ଇତି ମଧ୍ୟରେ ଓବିସି କମିଶନ କାର୍ଯ୍ୟକ୍ଷମ ହୋଇସାରିଛି । ଓଡିଶାରେ ଅନ୍ୟ ପଛୁଆ ବର୍ଗ (ଓବିସି) ସାମାଜିକ ଆର୍ଥିକ ପଛୁଆବର୍ଗ (ଏସ୍‌ଇବିସି) ସଂଖ୍ୟା ରାଜ୍ୟରେ ମୋଟ ଜନସଂଖ୍ୟା ଅଧାରୁ ଅଧିକ । ସେମାନଙ୍କ ସଂଖ୍ୟାର ଅଧା ସଂରକ୍ଷଣ ବି ସେମାନଙ୍କୁ ଦିଆଯାଇପାରି ନାହିଁ । କାରଣ ସଂରକ୍ଷଣ ଦେବାରେ ବାଧକ ସାଜିଛି ନ୍ୟାୟାଳୟ ଦ୍ୱାରା ରଖାଯାଇଥିବା ୫୦% ସୀମା । ତେବେ ଓଡିଶାକୁ ଅନ୍ୟ କୌଣସି ରାଜ୍ୟ ସହିତ ତୁଳନା କରାଯାଇପାରିବ ନାହିଁ ବିଜେଡି ନେତା କହିଛନ୍ତି । ତେଣୁ ଭାରତବର୍ଷରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ପଛୁଆବର୍ଗ କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗ ସେତେବେଳେ ସାଧିତ ହୋଇପାରିବ ଯେତେବେଳେ ୫୦% ଆଇନଗତ ସଂରକ୍ଷଣ କଟକଣା ଉଠିଯିବ । ତେଣୁ ଜାତିଭିତିକ ଜନଗଣନା ଓ ୫୦% ସଂରକ୍ଷଣ ସୀମା ଉଠାଯିବା ସମୟର ଏକ ଆହ୍ୱାନ ହୋଇଛି ବୋଲି ବିଜୁ ଜନତା ଦଳର ଦୁଇଜଣ ବରିଷ୍ଠ ନେତା କହିଛନ୍ତି 

ଏ ପ୍ରସଙ୍ଗରେ ଗତ କିଛି ଦିନ ତଳେ ବିଜେଡି ସଂସଦୀୟ ପ୍ରତିନିଧି ଦଳ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଥିଲେ । ଦେଢ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଉଠାଇ ଆସୁଛନ୍ତି । ନବୀନ ପଟ୍ଟନାୟକଙ୍କ ଏହି ଦାବିକୁ ଭାରତବର୍ଷର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜନୈତିକ ଦଳ ବି ସମର୍ଥନ ଜଣାଇ ଆସୁଛନ୍ତି ବୋଲି ବିଜେଡି କହିଛି । ଏମିତିକି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁସରଣ କରି ଜାତିଭିତିକ ଜନଗଣନା ଏବଂ ୫୦% ସଂରକ୍ଷଣ କଟକଣା ଉଠାଇବା ସପକ୍ଷରେ ବିଜେପିର ସହଯୋଗୀ ଦଳମାନେ ମଧ୍ୟ ଦାବି ଉଠାଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ତଥା ଏନଡିଏ ଗଠବନ୍ଧନରେ ସାମିଲ ଥିବା ଜେଡି(ୟୁ)ର ନୀତିଶ କୁମାର ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିଛନ୍ତି। ସେହିପରି ଅପ୍ନା ଦଳର ଅନୁପ୍ରିୟା ପଟେଲ, ବିହାରର ବରିଷ୍ଠ ନେତା ଜୀତନରାମ ମାଝି, ଭିଆଇପି ଦଳର ମୁକେଶ ଶୈନୀ, ନିଷାଦ ପାଟିର ସଞ୍ଜୟ ନିଷାଦ, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଓମ୍ ପ୍ରକାଶ ରାଜଭର, ଆରପିଆଇ(ଏ)ର ରାମଦାସ ଅଠାୱାଲେ, ଏଲ୍‌ଜେପିର ପଶୁପତି ପାରସ ଆଦି ଏହି ପ୍ରସଙ୍ଗରେ ସମାନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ବିହାରର ବିଭିନ୍ନ ରାଜନୈତିକ ଦଳର ୧୦ ଜଣିଆ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ଦାବି ରଖି ସାରିଛନ୍ତି । ଏହି ପ୍ରତିନିଧି ଦଳରେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ ବିହାର ବିଜେପି ନେତା ମଧ୍ୟ ସାମିଲ ଅଛନ୍ତି । ଜନଗଣନା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ବ୍ୟାପାର ଏବଂ ୫୦% ସରଂକ୍ଷଣ ସୀମା କଟକଣା ଉଠାଇବା ମଧ୍ୟ କେନ୍ଦ୍ରୀୟ କ୍ଷମତା ପରିସର ଭୁକ୍ତ ।

ତେବେ ପଛୁଆବର୍ଗର ସାମାଜିକ, ଆର୍ଥିକ ବିକାଶ ଓ ସେମାନଙ୍କୁ ଦୀର୍ଘମିଆଦୀ ସୁବିଧା ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । କିନ୍ତୁ ରାଜ୍ୟ ବିଜେପି ନେତୃତ୍ୱ ଓ ଜନପ୍ରତିନିଧିମାନେ ଏ ପ୍ରସଙ୍ଗ ଉପରେ ଭୟଙ୍କର ନୀରବତା ଅବଲମ୍ବନ କରୁଛନ୍ତି । ଏହି ନିରବତା ସେମାନଙ୍କୁ ଓବିସି/ଏସ୍‌ଇବିସି ବର୍ଗ ବିରୋଧି ଦର୍ଶାଉଛି ବୋଲି ବିଜୁ ଜନତା ଦଳ କହିଛି । ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା କହିଛନ୍ତି ,’ ଆମେ ଆହ୍ୱାନ ଦେଉଛୁ ଯେ ରାଜ୍ୟର ବିଜେପି ନେତାମାନେ ଏହି ଦାବି ଉଠାନ୍ତୁ । ଏହି ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ବିଜୁ ଜନତା ଦଳ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ସ୍ୱାଇଁ ଓ ଡକ୍ଟର ସାହୁ କହିଛନ୍ତି ।

Related Posts