ଦିଲ୍ଲୀ କ୍ୟାବିନେଟ୍‌ରୁ ମନୀଷ ସିସୋଦିଆଙ୍କ ବହିସ୍କାର ଦାବି ନେଇ ରାଷ୍ଟ୍ରପତିଙ୍କୁ ଭେଟିବେ ଦିଲ୍ଲୀର ବିଜେପି ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ସରକାରଙ୍କର କ୍ୟାବିନେଟ୍‌ରୁ ମନୀଷ ସିସୋଦିଆଙ୍କ ବହିସ୍କାର ଦାବି ନେଇ ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ଭେଟିବେ ଦିଲ୍ଲୀର ବିଜେପି ବିଧାୟକ। ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ କରି ମନୀଷଙ୍କ ବିରୋଧରେ ସିବିଆଇ ମାମଲା କରିବା ପରେ ଦିଲ୍ଲୀ ବିଜେପି ବିଧାୟକମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆସନ୍ତାକାଲି ଦିଲ୍ଲୀର ୫ ବିଜେପି ବିଧାୟକ ଦିନ ୧୧ଟା ବେଳେ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେବେ।

ଏହା ପୂର୍ବରୁ ବିଜେପି ମନୀଷଙ୍କ ବିରୋଧରେ ଷ୍ଟିଙ୍ଗ୍ ଅପରେସନ କରି ଏକ ଭିଡିଓ ରିଲିଜ୍ କରିଥିଲା। ଯେଉଁଥିରେ ମଦ ଦୁର୍ନୀତିରେ କରିଥିବା ଜଣେ ବ୍ୟକ୍ତିଙ୍କ ବାପା ଲାଇସେନ୍ସ ପାଇବା ପାଇଁ କମିଶନ ଦେଇଥିବା ସ୍ୱୀକାର କରିଥିଲେ। ଭିଡିଓରେ ଦେଖାଯାଇଥିଲା ଯେ ଲାଭର ୮୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍, ମନୀଷ ସିସୋଦିଆ ଓ ତାଙ୍କ ବନ୍ଧୁମାନଙ୍କ ପାଖକୁ ଯାଉଥିଲା। ସେମାନେ ପ୍ରଥମେ ୮୦ ପ୍ରତିଶତ ଲାଭ ମାଗି ରଖୁଥିଲେ. ପରେ ୨୦ ପ୍ରତିଶତ ବିକ୍ରି କରିବାକୁ କହୁଥିଲେ ବୋଲି ସୋମବାର ବିଜେପି ପ୍ରବକ୍ତା ସମ୍ବିତପାତ୍ର ଅଭିଯୋଗ କରିଥିଲେ।

ତେବେ ଏହି ଅଭିଯୋଗର ଉତ୍ତର ଦେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ସିବିଆଇ ମୋ ବିରୋଧରେ କିଛି ପ୍ରମାଣ ନପାଇବାରୁ ମୋତେ ନିକଟରେ କ୍ଲିନ୍‌ଚିଟ୍ ଦେଇଛି। ହେଲେ ବିଜେପି କହୁଛି ସେମାନେ ଷ୍ଟିଙ୍ଗ ଅପରେସନ କରିଛନ୍ତି। ଏଥିରେ ସେମାନେ ଜଣଙ୍କୁ କାର ଭିତରେ ବସାଇ ପ୍ରଶ୍ନ କରିଛନ୍ତି। ଏହା କଣ ଗୋଟେ ଷ୍ଟିଙ୍ଗ୍ ଅପରେସନ ? ଏହା ଏକ ଜୋକ୍। ଏଭଳି ଅନେକ ଭିଡିଓ ମୋ ପାଖରେ ମଧ୍ୟ ଅଛି। ମୁଁ ବି ଆପଣଙ୍କୁ ଦେଇପାରିବି ଆପଣ ବି ସେମାନଙ୍କ ଭଳି ଭିଡିଓକୁ ଚଲାଇ ପାରିବେ ବୋଲି ସାମ୍ବାଦିକ ମାନଙ୍କୁ ମନୀଷ କହିଛନ୍ତି।

Related Posts