ଭୁବନେଶ୍ୱର ହଂସପାଳ ନିକଟରେ ନକଲି ସର୍ଫ ଓ ଲୁଣ କାରଖାନା ଠାବ; ବିପୁଳ ନକଲି ସାମଗ୍ରୀ ଜବତ, ଜଣେ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଖୋର୍ଦ୍ଧା ଜିଲା ପାହାଳ ଥାନା ଅନ୍ତର୍ଗତ ହଂସପାଳ ନିକଟସ୍ଥ ଶିବଶକ୍ତିନଗର ଲେନ୍‌ ୧୫ରେ ନକଲି ସର୍ଫ ଏକ୍ସିଲ ଓ ଟାଟା ସଲ୍ଟ ପ୍ୟାକେଟ ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। କମ୍ପାନୀରେ କାମ କରୁଥିବା ଭଦ୍ରକ ଅଞ୍ଚଳର ଜଣେ ଯୁବକଙ୍କୁ ପାହାଳ ପୋଲିସ ଅଟକ ରଖିଛି। ତେବେ ସଂପୃକ୍ତ କମ୍ପାନୀର ମାଲିକ ଫେରାର ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଦୀର୍ଘ ୩ ବର୍ଷ ଧରି ପାହାଳ ଥାନା ଅନ୍ତର୍ଗତ ନହରକଣ୍ଟା ଗ୍ରାମର ହୃଷୀକେଶ ନାୟକ ନିକଟସ୍ଥ ଶିବଶକ୍ତିନଗରରେ ଏକ ଭଡ଼ା ଘରେ ବିନା ଲାଇସେନ୍ସରେ ନକଲି କାରଖାନା ଖୋଲିଥିଲେ। ଏଥିରେ ସର୍ଫ ଏକ୍ସିଲ ଓ ଟାଟା ସଲ୍ଟ ପ୍ୟାକେଟ କମ୍ପାନୀର ଅସଲି ଲୋଗୋ ବ୍ୟବହାର କରି ନକଲି କରାଯାଇଛି। ଏହାକୁ କଟକ-ଭୁବନେଶ୍ବର ବଜାରରେ ବିକ୍ରୟ କରୁଥିବା ସହ ଗ୍ରାମାଞ୍ଚଳରେ ଏହି ନକଲି ସାମଗ୍ରୀର ଚାହିଦା ଦେଖିବାକୁ ମିଳିଥିଲା। ତେବେ ସୋମବାର କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ବର ଜୋନ୍‌- ୪ ଏସିପି ଏସ୍‌ଏନ୍‌ ମୁଦୁଲି, ପାହାଳ ଥାନା ଅଧିକାରୀ ସୁଚିତ୍ରା ପରିଡ଼ା, ବିଏମ୍‌ସି ର ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବହୁ ପରିମାଣରେ ଟାଟା ସଲ୍ଟ ଓ ସର୍ଫ ଏକ୍ସିଲର ନକଲି ପ୍ୟାକେଟ ଜବତ କରିଥିଲେ। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଊର୍ଦ୍ଧ ଟଙ୍କା ହେବ ବୋଲି ପାହାଳ ଥାନାଧିକାରୀ କହିଛନ୍ତି। ଜବତ ନକଲି ସାମଗ୍ରୀଗଡ଼ିକର ନମୁନା ପରୀକ୍ଷଣ ପାଇଁ ଲବୋରେଟୋରୀକୁ ପଠାଯାଇଥିବା ଜଣାପଡ଼ିଛି।

Related Posts