ମୋଦି, କେଜରିୱାଲ୍‌ ଶୁଣିଲେ ନାହିଁ, ଅସନ୍ତୁଷ୍ଟ ଲୋକେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଲେଖିଲେ ଚିଠି

ପାଲମ ଷ୍ଟେସନ୍‌ରେ ଚେତକ ଏକ୍ସପ୍ରେସ୍‌ର ଷ୍ଟପେଜ୍‌ କରିବାକୁ ଦାବି । ପ୍ରଧାନମନ୍ତ୍ରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବି କରିଥିଲେ ଗୁହାରି । ଦାବି ପୂରଣ ହେଲା ନାହିଁ ତ ଲୋକେ ଟ୍ରମ୍ପଙ୍କୁ ଚିଠି ଲେଖିଲେ ।

ଭାରତୀୟ ରେଳ ବାବଦରେ ଅଭିଯୋଗ ଏବେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ପହଞ୍ଚିଯାଇଛି । ଦିଲ୍ଲୀର ପାଲମ ଷ୍ଟେସନ୍‌ରେ ଚେତକ ଏକ୍ସପ୍ରେସ୍‌ର ଏକ ଷ୍ଟପେଜ୍‌ ବା ରହଣି କରିବାକୁ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କର ଏକ ସଂଗଠନ ଦୈନିକ ଯାତ୍ରୀ ସଂଘ ଟ୍ରମ୍ପଙ୍କୁ ଚିଠି ଲେଖିଛନ୍ତି । ଟ୍ରମ୍ପଙ୍କୁ ଅନୁରୋଧ କରିଛନ୍ତି ଯେ ଅନେକ ବର୍ଷ ବିତି ଯାଇଥିଲେ ବି ତାଙ୍କର ଦାବି ପୂରଣ ହେଉନାହିଁ, ଏଥିପାଇଁ ସେ କିଛି କରନ୍ତୁ ।

ସଂଘର କହିବା କଥା ଯେ ସେମାନେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କଠାରୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାନ୍‌ଙ୍କଠାରେ ଗୁହାରି କରିଥିଲେ, କିନ୍ତୁ କିଛି ହେଲା ନାହିଁ । ଏଥିପାଇଁ ଟ୍ବିଟର ମାଧ୍ୟମରେ ସେମାନେ ନିଜର ଦାବି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପଠାଉଛନ୍ତି ।

ଚେତକ ଏକ୍ସପ୍ରେସ୍‌ ଦିଲ୍ଲୀର ସରାୟ ରୋହିଲ୍ଲାରୁ ରାଜସ୍ଥାନର ଉଦୟପୁର ସିଟିକୁ ପ୍ରତିଦିନ ଚଳାଚଳ କରେ । ସରାୟ ରୋହିଲ୍ଲାରୁ ବାହାରି ଟ୍ରେନ୍‌ଟି ଦିଲ୍ଲୀ କେଣ୍ଟ ଷ୍ଟେସନ୍‌ରେ ରହେ । ତା ପରେ ଗୁରୁଗ୍ରାମରେ ବି ଷ୍ଟପେଜ୍‌ ଅଛି । ଦୈନିକ ଯାତ୍ରୀ ସଂଘ ଦୀର୍ଘ ସମୟ ଧରି ଦାବି କରୁଛନ୍ତି ଯେ ରେଳଯାତ୍ରୀଙ୍କ ସମସ୍ୟାକୁ ଦେଖି ପାଲମ ଷ୍ଟେସନ୍‌ରେ ବି 2 ମିନିଟ୍‌ ଟ୍ରେନ୍‌ ରହୁ । ଏମିତି ହେଲେ ସ୍ଥାନୀୟ ଲୋକେ, ମହିଳା ପିଲା ଓ ଖାଟୁ ଶ୍ୟାମଙ୍କର ଭକ୍ତଙ୍କୁ ଦୂରବର୍ତ୍ତୀ ଷ୍ଟେସନ୍‌କୁ ଯିବାରୁ ମୁକ୍ତି ମିଳିବ ।

ସବୁଠାରୁ ବଡ଼ କଥା ହେଲା ଚେତକ ଏକ୍ସପ୍ରେସ୍‌ ରାଜସ୍ଥାନରେ ହିନ୍ଦୁଙ୍କର ସବୁଠାରୁ ଆସ୍ଥାକେନ୍ଦ୍ର ଖାଟୁ ଶ୍ୟମା ଧାମକୁ ଯୋଡ଼େ । ଖାଟୁ ଶ୍ୟାମଙ୍କ ଦର୍ଶନ କରିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାଜସ୍ଥାନ ଯାଆନ୍ତି । ଲୋକଙ୍କ ଦାବି ଯଦି ପାଲମ ଷ୍ଟେସନ୍‌ରେ ଚେତକ ଏକ୍ସପ୍ରେସ୍‌ ରହୁଛି ତେବେ ଲକ୍ଷ ଲକ୍ଷ ଯାତ୍ରୀଙ୍କ ସହ ବହୁ ସଂଖ୍ୟାରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କୁ ଆଶ୍ବସ୍ତି ମିଳିବ । ଦାବି ଶୁଣା ନ ଯିବାରୁ ଶେଷରେ ଦୈନିକ ଯାତ୍ରୀ ସଂଘ ଆମେରିକା ରାଷ୍ଟ୍ରପତିଙ୍କୁ ନିଜର ଦାବି ପହଞ୍ଚାଇଛନ୍ତି ।

Related Posts