
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ରଦ୍ଦ କରିବା ଦାବିରେ ଦୀର୍ଘ ଦିନ ଧରି କୃଷକମାନେ ଆନ୍ଦୋଳନ କରି ଆସୁଛନ୍ତି। ଏପଟେ କୃଷକଙ୍କ ସମସ୍ୟାକୁ ନେଇ ସଂସଦରେ ବିରୋଧୀ ଲଗାତାର ସରକାରଙ୍କୁ ଘେରୁଛନ୍ତି। ଏହାରି ମଧ୍ୟରେ ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟସଭାରେ ସୂଚନା ଦିଆଯାଇଛି ଯେ ୨୦୨୦ ମସିହାରୁ ୨୦ ଜୁଲାଇ ୨୦୨୧ ମଧ୍ୟରେ ଦିଲ୍ଲୀ ପୁଲିସ କୃଷକଙ୍କ ଆନ୍ଦୋଳନ ସହ ଜଡିତ ୧୮୩ ଜଣଙ୍କୁ ଗିରଫ କରିଛି ।
ସମସ୍ତ ଗିରଫ ହୋଇଥିବା କୃଷକ ଏବେ ଜାମିନରେ ଅଛନ୍ତି। ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ ସୂଚନା ଦେଇଛନ୍ତି। ଏହାସହ ସରକାରଙ୍କ ତରଫରୁ କୁହାଯାଇଛି ଯେ ଦେଶଦ୍ରୋହ ତଥା ଆତଙ୍କବାଦ ବିରୋଧୀ ଆଇନ, ୟୁଏପିଏ କୌଣସି ଚାଷୀଙ୍କ ବିରୋଧରେ ଲାଗୁ କରାଯାଇନାହିଁ । ସିପିଆଇ ସାଂସଦଙ୍କ ପଚରାଯାଇଥିବା ପ୍ରଶ୍ନର ଏକ ଲିଖିତ ଉତ୍ତରରେ ସରକାର ଏହି ସୂଚନା ଦେଇଛନ୍ତି।
ଗତ ୯ ମାସ ଧରି କୃଷକମାନେ ଦିଲ୍ଲୀ ସୀମାରେ ପ୍ରଦର୍ଶନ କରୁଛନ୍ତି। କୃଷକମାନେ ୨୬ ଜାନୁଆରୀରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବାକୁ ଯେତେବେଳ ଚାଷୀ ମାନେ ଘୋଷଣା କରିଥିଲେ, ସେତେବେଳେ ଏହି ରାଲି ଏକ ହିଂସାତ୍ମକ ରୂପ ନେଇଥିଲା। ବହୁ ବିକ୍ଷୋଭକାରୀ ଲାଲ୍ କିଲ୍ଲାରେ ପହଞ୍ଚିଥିଲେ। ଏହି ମାମଲାରେ ଦିଲ୍ଲୀ ପୋଲିସ ଅନେକ ଲୋକଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୋଗ ସମ୍ପର୍କରେ ଦିଲ୍ଲୀ ପୋଲିସ ପରିବାର ଲୋକଙ୍କୁ ଜଣାଇ ନଥିଲା ଏବଂ ବହୁ ଚାଷୀ ନିଖୋଜ ଥିଲେ ବୋଲି କୃଷକମାନେ ଅଭିଯୋଗ କରିଛନ୍ତି।
ସରକାର ଏହାର ତିନୋଟି କୃଷି ନିୟମକୁ ତୁରନ୍ତ ରଦ୍ଦ କରିବା ଉଚିତ ବୋଲି କୃଷକ ସଂଗଠନ ଦାବି କରିଛି, କିନ୍ତୁ ସରକାର ସେମାନଙ୍କ ଦାବିକୁ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରି ନାହାନ୍ତି। ସରକାର କହିଛନ୍ତି ଯେ ଯଦି ଆଲୋଚନା ହେବ ତେବେ ଏହା କେବଳ ସଂଶୋଧନ ଉପରେ ହେବ।
ସୂଚନା ଥାଉକି ୨୦୨୦-୨୧ ବର୍ଷରେ ନ୍ୟାୟିକ ହେପାଜତରେ ୧୮୪୦ ଓ ପୁଲିସ ହେପାଜତରେ ୧୦୦ ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଜାତୀୟ ମାନବାଧିକାର ଆୟୋଗ ଏପ୍ରିଲ ୧, ୨୦୧୮ରୁ ଜୁନ ୩୦, ୨୦୨୧ ମଧ୍ୟରେ ବିଚାରାଧୀନ ବନ୍ଦୀ ଭାବେ ମୃତ୍ୟୁ ହୋଇଥିବା ୫୯୩ଟି ମାମଲାକୁ ବିଚାର କରିଛନ୍ତି ଆୟୋଗଙ୍କ ପକ୍ଷରୁ ୫୯୩ଟି ମାମଲା ପାଇଁ କ୍ଷତିପୂରଣ ବାବଦକୁ ୧୫ କୋଟି ୯୦ ଲକ୍ଷ ଟଙ୍କା ଦେବାକୁ ସୁପାରିଶ କରାଯାଇଛି ।