ମୃତ ବ୍ୟକ୍ତିଙ୍କ ଔଷଧ ପାଇଁ ଘରୋଇ ଡ଼ାକ୍ତରଖାନାରେ ଟଙ୍କା ଦାବି କଲେ

ମୃତ ବ୍ୟକ୍ତିଙ୍କୁ ମେଡିସିନ ଦେବା ପାଇଁ ଟଙ୍କା ଦାବି କଲେ ଘରୋଇ ଡାକ୍ତରଖାନା କର୍ତୃପକ୍ଷ । ଏମିତି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । କରୋନା ଆକ୍ରାନ୍ତଙ୍କୁ ଜବରଦସ୍ତ ଘରୋଇ ଡାକ୍ତରଖାନାରେ ରଖିଲେ, ଏବଂ ମୃତ୍ୟୁ ପରେ ବି ରୋଗୀଙ୍କୁ ଔଷଧ ଦେବା ପାଇଁ ସଂପର୍କୀୟଙ୍କୁ ଟଙ୍କା ଦାବି କଲେ ଘରୋଇ ଡାକ୍ତରଖାନା କର୍ମଚାରୀ । ଚନ୍ଦ୍ରଶେଖରପୁର ଥାନାରେ ଏଭଳି ଏକ ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଅଂଚଳର ୬୨ ବର୍ଷିୟ ବ୍ୟକ୍ତି ଜୁଲାଇ ୨୨ ତାରିଖରେ ଶ୍ୱାସକ୍ରିୟ ଜନିତ ସମସ୍ୟା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କୁ କରୋନା ପଜିଟିଭ ଜଣାପଡିବା ପରେ ବି ସଂପୃକ୍ତ ଡାକ୍ତରଖାନା କର୍ତୃପକ୍ଷ ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିନଥିଲେ ।

ତେବେ ମୃତକଙ୍କ ପୁଅଙ୍କ ଅଭିଯୋଗ ଅନୁସାରେ, ଗତକାଲି ଦିନ ସାଢେ ୧୧ଟା ବେଳେ ଡାକ୍ତର କହିଲେ, ରୋଗୀଙ୍କ ଅବସ୍ଥା ସଂକଟାପର୍ଣ୍ଣ ଅଛି । ପରେ ଅଧଘଂଟାଏ ପରେ ଅର୍ଥାତ୍ ଦିନ ୧୨ଟାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛିଲେ । ପରେ ଦିନ ପ୍ରାୟ ୩ଟା ସୁଦ୍ଧା ହସ୍ପିଟାଲ ବିଲିଂ କାଉଂଟରରୁ ତାଙ୍କ ପାଖକୁ ଫୋନ ଆସିଥିଲା । ଏବଂ ଟଙ୍କା ଦେଲେ ବାପାଙ୍କୁ ଔଷଧ ଦିଆଯିବ ବୋଲି ସଂପୃକ୍ତ ବିଲିଂ କର୍ମଚାରୀ କହିଥିଲେ । ଯାହାକୁ ନେଇ ଘରୋଇ ଡାକ୍ତରଖାନାର ଚିକିତ୍ସା ବ୍ୟବସ୍ଥା ଉପରେ ତାଙ୍କର ସନ୍ଦେହ ହୋଇଥିଲା । ଏନେଇ ମୃତକଙ୍କ ପରିବାର ଲୋକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଅଣକୋଭିଡ ହସ୍ପିଟାଲରେ କିଭଳି କୋଭିଡ ରୋଗୀଙ୍କ ଚିକିତ୍ସା କରାଯାଉଥିଲା । କରୋନା ପଜିଟିଭ ରିପୋର୍ଟ ଆସିବା ପରେ ବି କାହିଁକି ରୋଗୀଙ୍କୁ ବିଏମସି କୋଭିଡ ହସ୍ପିଟାଲକୁ ସ୍ଥାନନ୍ତର କରାଗଲା ନାହିଁ ।

Related Posts