ଧାମନଗର ଉପନିର୍ବାଚନ: ହାରିବା ଭୟରେ ନାରୀଶକ୍ତି ବିରୁଦ୍ଧରେ ମିଥ୍ୟା ଅଭିଯାନ ଚଳାଇଛି ବିଜେପି: ବିଜେଡ଼ି

ଭୁବନେଶ୍ବର : ଧାମନଗର ଉପନିର୍ବାଚନକୁ ଜମୁଛି ପ୍ରଚାର ମଇଦାନ । ଏହାରି ମଧ୍ୟରେ ବିଜେଡ଼ି ଓ ବିଯେପି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜାରି ରହିଛି । ବିଜେଡି ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ବାରା ଟଙ୍କା ବାଣ୍ଟି ସେମାନଙ୍କୁ ଅପରାଧୀ ସଜାଉଛି ବୋଲି ବିଜେପି ଅଭିଯୋଗ ଆଣିଛି । ତେବେ ବିଜେପି ର ଏପରି ଅଭିଯୋଗ ଉପରେ ଜବାବ୍‌ ରଖିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଧାମନଗର ଉପନିର୍ବାଚନରେ ଓଡ଼ିଶା ବିଜେପି ବିପୁଳ ଭୋଟ୍‌ରେ ପରାଜୟ ବରଣ କରିବ ବୋଲି ଜାଣିବା ପରେ ପୁଣିଥରେ ମିଥ୍ୟା ଓ ଭିତ୍ତିହୀନ ଆରୋପ ଆରମ୍ଭ କରିଛି। ବିଶେଷ କରି ନାରୀଶକ୍ତି ବିରୁଦ୍ଧରେ ଏଭଳି ମିଥ୍ୟା ଅଭିଯାନ ଚଳାଇଛି ବୋଲି ଇପ୍ସିତା କହିଛନ୍ତି।

ଏହା ସହ ସେ କହିଛନ୍ତି ଯେ, ଓଡ଼ିଶା ବିଜେପି ଏବେ ଏତେ ତଳକୁ ଖସିଯାଇଛି ଯେ ଧାମନଗରରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ଅପମାନିତ କରିବା ଏବଂ ଓଡ଼ିଶାର ନାରୀ ଶକ୍ତିକୁ ଅପମାନିତ କରିବାକୁ ପଛାଉ ନାହିଁ। ଓଡ଼ିଶା ବିଜେପି ଏବେ ଧାମନଗରରେ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ସଂକ୍ରାନ୍ତୀୟ ଏକ ଜାଲ୍‌ ଭିଡ଼ିଓ ପ୍ରସ୍ତୁତ କରିଛି। ଏହାପରେ ଧାମନଗର ଉପନିର୍ବାଚନ ପ୍ରଚାର ସମୟରେ ବରିଷ୍ଠ ବିଜେଡି ମହିଳା ସଦସ୍ୟାଙ୍କୁ ଧମକାଇବା ଓ ହଇରାଣ କରିବା ଆରମ୍ଭ କରିଛନ୍ତି। ଆଜି ସେମାନେ ପୁଣି ଜଣେ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଆସନ୍ତା ୩ ତାରିଖରେ ଧାମନଗରର ଉପନିର୍ବାଚନ ଦିନ ନାରୀ ଶକ୍ତି ଓଡ଼ିଶା ବିଜେପିକୁ ଉପଯୁକ୍ତ ଜବାବ ଦେବେ।

Related Posts