‘ଭୟ କର ନାହିଁ’, ସାମ୍ବାଦିକଙ୍କ କାନ୍ଧରେ ବନ୍ଧୁକ ରଖି ନିଜର ପ୍ରଶଂସା କରିବାକୁ କହୁଛନ୍ତି ତାଲିବାନ : ଭିଡିଓ ଭାଇରାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରଠାରୁ ବିଭିନ୍ନ ପ୍ରକାରର ଅକଥନୀୟ ଅତ୍ୟାଚାରର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସୁଛି। ଏବେ ଏମିତି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ବନ୍ଧୁକ ମୁନରେ ଜଣେ ଟିଭି ସମ୍ବାଦଦାତା ସମ୍ବାଦ ପରିବେଷଣ କରୁଛନ୍ତି । ତାଙ୍କ ଚାରିପଟେ ଘେରି ରହିଛନ୍ତି ବନ୍ଧୁକଧାରୀ ତାଲିବାନ ସେନା। ସେ ନିଜେ ଭୟଭୀତ ଥିଲେ ମଧ୍ୟ ଅନ୍ୟମାନଙ୍କୁ ‘ଭୟ କର ନାହିଁ’ ବୋଲି କହୁଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆଫଗାନିସ୍ତାନର ଏକ ଟିଭି ଚ୍ୟାନେଲର ଷ୍ଟୁଡିଓ ଭିତରେ ପଶି ସାମ୍ବାଦିକଙ୍କୁ ଧମକାଉଥିବାର ଭିଡିଓ ମାସେଲ ଆଲିନାଜାବ ନାମକ ଜଣେ ସାମ୍ବାଦିକ ଟ୍ବିଟ୍ କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି ଯେ, ବନ୍ଧୁକ ମୁନରେ ଜଣେ ଟିଭି ସମ୍ବାଦଦାତାଙ୍କୁ ନ୍ୟୁଜ ପଢ଼ିବାକୁ କହିଛନ୍ତି। ସେହି ସାମ୍ବାଦିକଙ୍କୁ ତାଲିବାନୀଙ୍କ ପ୍ରଶଂସା କରିବା ପାଇଁ ମଧ୍ୟ ସେମାନେ ଧମକାଉଛନ୍ତି। ନ୍ୟୁଜ ଆଙ୍କର ଜଣକ ତାଙ୍କ କଥା ମାନିବାକୁ ବାଧ୍ୟ ହୋଇଛନ୍ତି। ଭୟରେ ଥିବା ଆଙ୍କର ଜଣକ ଅନ୍ୟମାନଙ୍କୁ ଭୟ ନକରିବା ପାଇଁ ବାର୍ତ୍ତା ଦେଇଛନ୍ତି।

ଏବେ ଧୀରେ ଧୀରେ ତାଲିବାନ ତା’ର କ୍ରୁରପଣ ଦେଖାଉଛି । ତାଲିବାନର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରାଯାଉଛି। ମାସେଲ ଆଲିନାଜାବ ନାମକ ଜଣେ ସାମ୍ବାଦିକ ଏହି ଭିଡିଓକୁ ଟୁଇଟ୍‌ କରି କହିଛନ୍ତି, ‘ଏହା ବେଶ ଆଶ୍ଚର୍ଯ୍ୟଜନକ। ତାଲିବାନ ଆତଙ୍କବାଦୀମାନେ ଏହି ଭୟଭୀତ ଟିଭି ହୋଷ୍ଟ ପଛରେ ବନ୍ଧୁକ ଦେଖାଇ ତାଙ୍କୁ କହିଛନ୍ତି ଯେ, ଆଫଗାନିସ୍ତାନର ଲୋକମାନେ ଇସଲାମ ଏମିରେଟ୍‌କୁ ଭୟ କରିବା ଉଚିତ୍ ନୁହେଁ।’

ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ସାମ୍ବାଦିକଙ୍କୁ ଟାର୍ଗେଟ କରୁଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ସେତେବେଳେ ତାଲିବାନ ସାମ୍ବାଦିକ ସମ୍ମିଳନୀରେ କହିଥିଲା ଯେ, ଦେଶରେ ସ୍ୱାଧୀନଭାବେ ସାମ୍ବାଦିକ ମାନେ କାମ କରି ପାରିବେ । କିନ୍ତୁ ତାଲିବାନର ଏହି କଥା ଏବେ କେବଳ ପାଣିଗାର ପାଲଟିଛି। ସେ ପ୍ରକୃତରେ କେତେ କ୍ରୁର ତାହା ପ୍ରମାଣିତ ହୋଇଛି।

Related Posts