ଡମ୍ପିଂୟାର୍ଡକୁ ନେଇ ଅପରାଜିତା ପବ୍ଲିସିଟି ପାଇଁ ରାଜନୀତି ନ କରନ୍ତୁ : ମେୟର ସୁଲୋଚନା ଦାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୁବନେଶ୍ୱରର ଭୁଆଶୁଣୀ ଡମ୍ପିଂୟାର୍ଡକୁ ନେଇ ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଛି ବିଏମ୍‌ସି।ଏଥିପାଇଁ ବିଏମ୍‌ସିକୁ ବହୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡୁଛି। ଏସବୁ ଭିତରେ ରବିବାର ଦିନ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଡମ୍ପିଂୟାର୍ଡର ସମାଧାନ ପାଇଁ ମେୟର ସୁଲୋଚନା ଦାସଙ୍କୁ ଚିଠି ଲେଖିଛନ୍ତି। ତେବେ ଏହି ଚିଠିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର। ଅପରାଜିତା ପବ୍ଲିସିଟି ପାଇଁ ରାଜନୀତି ନ କରନ୍ତୁ ବୋଲି ସୁଲୋଚନା କହିଛନ୍ତି। ସେ ଆହୁରି କହିଛନ୍ତି, ଅପରାଜିତା ବିଏମ୍‌ସି କମିଶନର ଥିବା ସମୟରେ ଭୁଆଶୁଣୀ ଡମ୍ପିଂୟାର୍ଡ କାମ ଆରମ୍ଭ ହୋଇଥିଲା। ସେ ନିଜେ ସମସ୍ୟାକୁ ପାଖରୁ ଜାଣିଛନ୍ତି। ୨୦୦୮ରେ ଭୁବନେଶ୍ୱରରେ ଷ୍ଟ୍ରାଇକ୍‌ ହୋଇଥିଲା। ୧୦ଦିନ ପାଇଁ ଭୁବନେଶ୍ୱର ସଂପୂର୍ଣ୍ଣ ସ୍ଥାଣୁ ପାଲଟି ଯାଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏପରି କି ସହରରେ ଝାଡ଼ୁ ମଧ୍ୟ ବୁଲି ନ ଥିଲା। ମୁଁ ସେତେବେଳେ ମିଡିଆରେ କାମ କରୁଥିଲି। ଆମ ଦାୟିତ୍ୱ ଆମେ କରିବୁ, ତାଙ୍କ ଦାୟିତ୍ୱ ସେ କରନ୍ତୁ।

ଯଦି ସେ ଆମକୁ ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ଏନ୍‌ଏଚ୍‌ ପାଇଁ ଭୁବନେଶ୍ୱରରେ ବହୁ ଅସୁବିଧା ହେଉଛି।ସହରରେ ଥିବା ଅଣ୍ଡରପାସ୍‌ରେ ବର୍ଷା ନ ହେଲେ ବି ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି। ସେଗୁଡିକର ଦାୟିତ୍ୱ ନିଅନ୍ତୁ ବୋଲି ମେୟର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେବେ ଅପରାଜିତା ଦେଇଥିବା ଚିଠିରେ ୩/୪ ଦିନ ମଧ୍ୟରେ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ କରିବା ପାଇଁ କହିଛନ୍ତି। ନଚେତ ସେପ୍ଟେମ୍ବର ୨ରେ ବିଏମ୍‌ସି ଅଫିସ୍‌ରେ ମେୟରଙ୍କ ସହ ଏନେଇ ଆଲୋଚନା କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଅପରାଜିତା।

Related Posts