
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ସରକାର ଭାଙ୍ଗିବା ପାଇଁ ବିଜେପି ଚକ୍ରାନ୍ତ କରିଥିଲା। ଅନ୍ୟ ରାଜ୍ୟ ଭଳି ଦିଲ୍ଲୀ ପାଇଁ ମଧ୍ୟ ଅପରେସନ ଲୋଟସ୍ ପ୍ରସ୍ତୁତ କରିଥିଲା। କିନ୍ତୁ ଏହା ବିଫଳ ହୋଇଛି ଏଭଳି ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବିଜେପିର ଅପରେସନ ଲୋଟସ୍ ବିଫଳ ହୋଇଥିବା ଦାବି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜ୍ରିୱାଲ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡକାଇଛନ୍ତି। ଏହି ଅଧିବେଶନରେ ଗତକାଲି ଆସ୍ଥା ପ୍ରସ୍ତାବ ଆଗତ କରିଛନ୍ତି କେଜ୍ରିୱାଲ। ଆଜି ସକାଳ ୧୧ଟା ବେଳେ ଏହା ଉପରେ ଭୋଟ ହେବ।
ତେବେ ଏହି ପ୍ରସ୍ତାବ ଆଗତ ସମୟରେ କେଜ୍ରିୱାଲ କହିଛନ୍ତି ଯେ, ଆପ୍ ବିଧାୟକମାନେ ଦୁର୍ନୀତିଗ୍ରସ୍ତ ନୁହଁନ୍ତି। ଏଥିସହିତ ସେ ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ ବିଜେପି ଆସନ୍ତା ୧୫ ଦିନ ମଧ୍ୟରେ ଝାଡ଼ଖଣ୍ଡ ସରକାର ଭାଙ୍ଗିବା ଲାଗି ଚେଷ୍ଟା କରିବ। ଛାତ୍ର ଏବଂ କୃଷକମାନଙ୍କର ଋଣ ଛାଡ଼ ହେଉ ନଥିବାବେଳେ କେନ୍ଦ୍ର ସରକାର ତାଙ୍କ କୋଟିପତି ବନ୍ଧୁଙ୍କ ଋଣ ଛାଡ଼ କରୁଛନ୍ତି। ବିଧାୟକ ମାନଙ୍କୁ କିଣୁଥିବାରୁ ବର୍ତ୍ତମାନର କେନ୍ଦ୍ର ସରକାର ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ। ବିଜେପି ମଣିପୁର, ବିହାର, ଆସାମ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ସରକାରକୁ ଭାଙ୍ଗିବାରେ ସଫଳ ହୋଇଛି। କେନ୍ଦ୍ର ସରକାର ନିଜକୁ ଦୁର୍ନୀତି ବିରୋଧୀ ବୋଲି କହୁଛନ୍ତି, କିନ୍ତୁ ଅପରପକ୍ଷରେ ବିଭିନ୍ନ ରାଜ୍ୟରେ ବିଧାୟକଙ୍କୁ କିଣୁଛନ୍ତି। ୧୫ ଦିନ ମଧ୍ୟରେ ସେମାନେ ଝାଡ଼ଖଣ୍ଡ ସରକାରଙ୍କୁ ଭାଙ୍ଗିବେ ଏବଂ ତାହାପରେ ପେଟ୍ରୋଲ ଓ ଡିଜେଲ ଦାମ୍ ବଢ଼ାଇବେ ବୋଲି କେଜ୍ରିୱାଲ କହିଛନ୍ତି।
ଅନ୍ୟପକ୍ଷରେ ଅବକାରୀ ଦୁର୍ନୀତିରୁ ଧ୍ୟାନ ହଟାଇବା ପାଇଁ କେଜ୍ରିୱାଲ ଏଭଳି ଡ୍ରାମା କରୁଛନ୍ତି ବୋଲି ବିଜେପି ବିଧାୟକମାନେ ଦାବି କରିଛନ୍ତି। ବିଜେପି ବିଧାୟକମାନେ ବିଧାନସଭାରେ ପାଟିତୁଣ୍ଡ କରିବାରୁ ଉପବାଚସ୍ପତି ରାକ୍ଷୀ ବିର୍ଲା ସେମାନଙ୍କୁ ମାର୍ସାଲଙ୍କ ସହାୟତାରେ ଗୃହରୁ ବିଦା କରିଛନ୍ତି।