ଡିଆରଡିଓ ତଥ୍ୟ ଲିକ୍ ମାମଲା : ୨୦୨୦ରୁ ହନି ଟ୍ରାପ୍ ଲିଙ୍କ୍‌ରେ ଥିଲେ ୫ ଅଭିଯୁକ୍ତ , ବିବାହର ଅଫର ଦେଉଥିଲା ରହସ୍ୟମୟୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। କ୍ରାଇମବ୍ରାଞ୍ଚ ଯେତିକି ତଦନ୍ତ କରୁଛି ,  ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଆଜି ବାୟୁସେନାର ୨ ଜଣିଆ ଟିମ୍ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରୁଛନ୍ତି । ଅଭିଯୁକ୍ତ ମାନଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନ୍ ଫୋରେନ୍ସିକ୍ ଲ୍ୟାବକୁ ପଠାଯିବ । ଏବଂ ସେମାନଙ୍କ ଠାରୁ ଜବତ ହୋଇଥିବା ଟଙ୍କା ମଧ୍ୟ କେଉଁଠୁ ଆସୁଥିଲା, କିଏ ପଠାଉଥିଲା, ଏ ସବୁ ଘଟଣାର ତଦନ୍ତ କରୁଛନ୍ତି ଏୟାରଫୋର୍ସ ଅଧିକାରୀ । ଅନ୍ୟପକ୍ଷେ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ହନି ଟ୍ରାପ୍ କରିଥିବା ରହସ୍ୟମୟୀଙ୍କ ବିଷୟରେ ଆଉ କିଛି ସୂଚନା ହସ୍ତଗତ ହୋଇଛି ।  ୨୦୨୦ ମସିହାରୁ ସୋସିଆଲ ମିଡିଆରେ ଲିଙ୍କ୍ କରିଥିଲେ ରହସ୍ୟମୟୀ ।  

ନିଜକୁ କେତେବେଳେ ସୈନ୍ୟ ବିଭାଗର କିରାଣୀ ତ ଆଉ କେତେବେଳେ ପୋର୍ଟବ୍ଲେୟରରେ ନର୍ସ ଥିବା କହୁଥିଲା । ଏହିଭଳି ଭିନ୍ନ ଭିନ୍ନ ପରିଚୟ ଦେଇ ୫ ଜଣଙ୍କୁ କରିଥିଲା ହନି ଟ୍ରାପ୍ । ରହସ୍ୟମୟୀ ଅଭିଯୁକ୍ତ ମାନଙ୍କୁ ଭିଡିଓ କଲ୍, ଫେସବୁକ୍ କଲ୍ ଓ ମେସେଜ୍, ମେସେଞ୍ଜର କଲ୍ ଜରିଆରେ ସମ୍ପର୍କରେ ରହିଥିଲା। ଅଭିଯୁକ୍ତଙ୍କ ସହ ଇଂଲିଶ ଆଉ ହିନ୍ଦୀ ଭାଷାରେ କଥା ହେଉଥିଲା। କେବଳ ଏତିକି ନୁହେଁ, କିଛି ଅଭିଯୁକ୍ତଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇଥିଲା ରହସ୍ଯମୟୀ। ବର୍ତ୍ତମାନ ରହସ୍ୟମୟୀର ୟୁକେ ନମ୍ବର ଠାବ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରଚେଷ୍ଟା ଚାଲିଛି।  କେନ୍ଦ୍ରୀୟ ଏଜେନ୍ସି ଜରିଆରେ ୟୁକେ ଅଥରିଟିଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଉଛି। ରହସ୍ୟମୟୀ ହାତରେ ମାନବ ବିହୀନ ବିମାନ ତଥ୍ୟ ଲାଗିଛି କି ନାହିଁ ସେ ନେଇ ଏବେ ଚିନ୍ତା ବଢିଛି। ଏ ସମ୍ପର୍କରୀ ଜାଣିବା ପାଇଁ ଏୟାରଫୋର୍ସ ଅଧିକାରୀ ଅଭିଯୁକ୍ତମାନଙ୍କୁ ଜେରା କରୁଛି।

ଏହା ପୂର୍ବରୁ ୟୁପି ହ୍ୟାଣ୍ଡଲରଙ୍କ ଜରିଆରେ ପାକିସ୍ତାନରୁ ଟଙ୍କା ଆସୁଥିବା ନେଇ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ  ଜାଣିବାକୁ ପାଇଛି। ସୂଚନାଯୋଗ୍ୟ ଯେ, ଶତ୍ରୁ ଦେଶ ପାକିସ୍ତାନ ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ବସନ୍ତ ବେହେରା, ତାପସ ରଞ୍ଜନ ନାୟକ, ଶେଖ୍ ମୁସାଫିର ଓ ହେମନ୍ତ କୁମାର ମିସ୍ତ୍ରୀ। 

Related Posts