ଡିଆରଡିଓ ତଥ୍ୟ ଲିକ୍ ମାମଲା : ଦୁବାଇରୁ ଆସୁଥିଲା ଟଙ୍କା, ଚାନ୍ଦିପୁରରୁ ପ୍ରଘଟ ହେଉଥିଲା ତଥ୍ୟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଆସିଲା ନୂଆ ମୋଡ। ଏହି ମାମଲାରେ ଏବେ ଦୁବାଇ ଲିଙ୍କ୍ ସାମ୍ନାକୁ ଆସିଛି। ଦୁବାଇରୁ ଟଙ୍କା ଆସୁଥିଲା, ଚାନ୍ଦିପୁରରୁ ତଥ୍ୟ ପ୍ରଘଟ ହେଉଥିଲା । ଟଙ୍କା ବିନିମୟରେ ଲିକ୍ କରାଯାଉଥିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ତଥ୍ୟ । ମନି ଆଉ ହନିଟ୍ରାପ୍‌ରେ ପଡ଼ି ଗିରଫ ୫ ଅଭିଯୁକ୍ତଙ୍କ ସାଂଘାତିକ ଷଡ଼ଯନ୍ତ୍ରର ଏଭଳି ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ହନିଟ୍ରାପ୍ ଜାଲରେ ଫସି ଗୁପ୍ତଚରୀ କରୁଥିବା ବ୍ୟକ୍ତିଙ୍କ ଆକାଉଂଟକୁ ଦୁବାଇରୁ ଟଙ୍କା ଆସିଥିଲା । 

ମିଳିଥିବା ସୂଚନା ମୁତାବକ ଭାରତୀୟ ସେନାର ବ୍ରହ୍ମାସ୍ତ୍ର କୁହାଯାଉଥିବା ବ୍ରହ୍ମୋସର କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଶତ୍ରୁଙ୍କ ହାତକୁ ଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏ ସମ୍ପର୍କରେ ଅଧିକାରୀ ସ୍ତରରେ କେହି କିଛି କହୁନଥିବା ବେଳେ ଭାରତୀୟ ବାୟୁସେନାର ଏକ ଟିମ୍ କଟକରେ ପହଞ୍ଚି ତଦନ୍ତ ଆଗକୁ ବଢାଇଛି । 

ଏହି ତଥ୍ୟ ଲିକ୍ କରିବା ପାଇଁ ଦୁଇଟି କିସ୍ତିରେ ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟରେ ୩୮ହଜାର ଟଙ୍କା ଜମା ହୋଇଥିବା କୁହାଯାଉଛି । ସୂଚନା ମୁତାବକ , ପ୍ରଥମେ ଫୋନରେ ସମ୍ପର୍କ କରାଯାଉଥିଲା ପରେ ଟଙ୍କା ଆସୁଥିଲା । ଉକ୍ତ ମହିଳା ଜଣକ ୟୁକେର ଏକ ମୋବାଇଲ ନମ୍ବର ବ୍ୟବହାର କରି ଏମିତି କରୁଥିଲେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଅନ୍ୟ ମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ ? ଅନ୍ୟ କେଉଁ ଉପାୟରେ ବା ବ୍ୟାଙ୍କରେ ଟଙ୍କା ନେଇଛନ୍ତି କି ଅଭିଯୁକ୍ତମାନେ ? ସେସବୁର ତଦନ୍ତ ସହ ଅଭିଯୁକ୍ତଙ୍କ ମୋବାଇଲ, ଆକାଉଣ୍ଟ ନମ୍ବର ଯାଞ୍ଚ କରାଯାଉଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ମହିଳା ଅପରେଟିଭ ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲି ଚାଟ କରୁଥିଲେ। ହ୍ୱାଟ୍ସଆପରେ ଅଭିଯୁକ୍ତଙ୍କ ସହ ଚାଲିଥିଲା ଚାଟିଂ। ଭାରତୀୟ ପ୍ରତିରକ୍ଷା ବିଭାଗର ବ୍ରହ୍ମାସ୍ତ୍ର କୁହାଯାଉଥିବା ବ୍ରହ୍ମୋସର ତଥ୍ୟ ଲିକ୍ କରିବା ପାଇଁ ସେମାନଙ୍କ ଉପରେ ନଜର ରଖାଯାଇଥିଲା। ଅନ୍ୟ କ୍ଷେପଣାସ୍ତ୍ରର ଗୋପନୀୟ ତଥ୍ୟ ଶତ୍ରୁ ଦେଶ ପାକିସ୍ତାନ ହାତରେ ଲାଗିଥିବା ଜଣାପଡିଛି। 

ଏ ସବୁ ଘଟଣାର ଯାଞ୍ଚ୍ କରିବା ପାଇଁ କଟକ କ୍ରାଇମବ୍ରାଂଚ କାର୍ଯ୍ୟାଳୟରେ ପହଞ୍ଚିଛି ଭାରତୀୟ ବାୟୁସେନାର ଏକ ୩ ଜଣିଆ ଟିମ୍ । ପାକିସ୍ତାନୀ ଏଜେଣ୍ଟଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଗିରଫ ୫ ଜଣଙ୍କ ଟେଲିଫୋନର ଫୋରେନସିକ ଆନାଲିସସ ହେବ ବୋଲି ଜଣାପଡ଼ିଛି । ଅନ୍ୟ କେଉଁଠୁ ଟଙ୍କା ଆସିଛି ତାର ବି ଖୋଳତାଡ ହେବ । 

ତେବେ ଟଙ୍କା ବିନିମୟରେ ଏହି ୫ ଅଭିଯୁକ୍ତ କି କି ତଥ୍ୟ ଲିକ୍ କରିଛନ୍ତି ? ୟୁପିରେ ରହି ପାକିସ୍ତାନୀ ହ୍ୟାଣ୍ଡଲର ଏମାନଙ୍କୁ ନିୟନ୍ତ୍ରଣ କରୁଥିବା ଚର୍ଚ୍ଚା ପଛର ସତ କେତେ ? ବର୍ତ୍ତମାନ ସୁଦ୍ଧା NIA କାହାକୁ ଜେରା କରିନି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସ୍ପଷ୍ଟ କରିଛନ୍ତି । ୭ ଦିନିଆ ରିମାଣ୍ଡରେ ଥିବା ୫ ଅଭିଯୁକ୍ତଙ୍କ ଠାରୁ ଆଉ କି ତଥ୍ୟ ସାମ୍ନାକୁ ଆଣୁଛି କ୍ରାଇମବ୍ରାଞ୍ଚ, ତାକୁ ଅପେକ୍ଷା କରାଯାଇଛି। 

Related Posts