ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗ ; ୫ ସନ୍ଦିଗ୍ଧ ଅଟକ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ସନ୍ଦିଗ୍ଧ ଚିହ୍ନଟ । ଡିଆରଡିଓରୁ ତଥ୍ୟ ଲିକ୍ କରୁଥିବା ନେଇ ଅଭିଯୋଗ ହୋଇଛି।  ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ କେନ୍ଦ୍ର ଭିତରୁ ୫ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ବାଲେଶ୍ୱର ପୋଲିସ । ତେବେ ପୋଲିସ ହେପାଜତରେ ଥିବା ଏହି ସନ୍ଦିଗ୍ଧ ମାନେ କେଉଁ ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ ଅଟକ ରହିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ତଥାପି ବି ପ୍ରତିରକ୍ଷା ସମ୍ପର୍କିତ କିଛି ଗୁପ୍ତତଥ୍ୟ ସନ୍ଦିଗ୍ଧମାନେ ଲିକ୍ କରୁଥିବା ନେଇ ସୁରାକ ପାଇବା ପରେ ଆଇଜିଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପୁଲିସ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଏହି ସନ୍ଦିଗ୍ଧ ମାନଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି। 

ଏହି ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ  ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ରେ ୬ ଆଇଆଇସି ଓ ୬ ଡିଏସପି ରହିଥିଲେ । ପ୍ରାୟ ତିନିଦିନ ଧରି ପୁଲିସ ଏ ନେଇ ତନାଘନା ଜାରି ରଖିଥିଲା । ବର୍ତ୍ତମାନ ୫ ଜଣଙ୍କୁ ଅଟକ ରଖିଛି ବାଲେଶ୍ଵର ପୋଲିସ।  ତେବେ ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ପାକିସ୍ଥାନ ଗୁଇନ୍ଦା ସଂସ୍ଥା ଆଇଏସଆଇ କୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଲିକ୍ କରୁଥିବା ମାମଲାରେ ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ପୋଲିସ ଗିରଫ କରିଥିଲା। ସେ ବର୍ତମାନ ଆଜୀବନ ସଜା ଭୋଗୁଛି । ଅଭିଯୋଗ ହେଉଛି ଯେ ଅଟକ ଥିବା ୫ ଜଣ ସନ୍ଦିଗ୍ଧ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟର କିଛି ତଥ୍ୟ ଲିକ୍ କରୁଥିଲେ । 

ଏ ମାମଲାରେ ଆଉ କାହାର ସଂପୃକ୍ତି ରହିଛି ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରହିଛି । ତେବେ ଅଟକ ଥିବା ଏହି ୫ଜଣ ଡିଆରଡିଓରେ ଏସି ଅପରେଟର ସହ ଜେନେରେଟର ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଏହି ସନ୍ଦିଗ୍ଧ ମାନେ ବିଦେଶୀ ସଂସ୍ଥା ସହ ଫୋନ୍ କଲ ଜରିଆରେ କଥା ହେଉଥିବା ସନ୍ଦେହ କରାଯାଉଛି ଏହାସହ ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ସହ ୩ ଜଣଙ୍କର ସଂପର୍କ ରହିଥିବା ଚର୍ଚ୍ଚା ହେଉଛି ।

Related Posts