ନିଶାସକ୍ତ ପୁଅ ସାଜିଲା ହତ୍ୟାକାରୀ: ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରିବା ପରେ କଲା ଆତ୍ମହତ୍ୟା

ଯୋଧପୁର : ନିଶାସକ୍ତ ପୁଅ ସାଜିଲା ହତ୍ୟାକାରୀ। ପରିବାରର ୪ ସଦସ୍ୟଙ୍କୁ ହତ୍ୟା କଲା ପୁଅ । ହତ୍ୟା କରିବା ପରେ ପାଣିଟାଙ୍କିରେ ଫୋପାଡ଼ିଲା ମୃତଦେହ। ରାଜସ୍ଥାନର ଯୋଧପୁରଠାରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା। ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ।

ଯୋଧପୁରର ୩୮ ବର୍ଷୀୟ ଶଙ୍କର ଲାଲ ନାମକ ଜଣେ ଯୁବକ ନିଜ ବାପା ସୋନରାମ(୬୫)ଙ୍କୁ ଦାଆରେ ହାଣି ହତ୍ୟା କରିବା ପରେ ମାଆ ଚମ୍ପା(୫୫), ପୁଅ ଲକ୍ଷ୍ମଣ(୧୪) ଓ ଦିନେଶ(୮)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଲୋହାୱତ୍ ଏସଏଚଓ ବଦ୍ରି ପ୍ରସାଦ ପିଟିଆଇ ନ୍ୟୁଜ୍ ଏଜେନ୍ସିକୁ ସୂଚନା ଦେଇଛନ୍ତି।

ହତ୍ୟା କରିବା ପରେ ୪ ଜଣଙ୍କ ମୃତଦେହ ଛାତ ଉପରେ ଥିବା ପାଣିଟାଙ୍କିରେ ଫୋପାଡ଼ିଦେଇଥିଲା। ମୃତଦେହ ଫୋପାଡ଼ିବା ପରେ ଛାତ ଉପରେ ଥିବା ଟ୍ୟାଙ୍କ୍ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ରିପୋର୍ଟରେ ପ୍ରକାଶ। ପୋଲିସର କହିବାନୁସାରେ ଶଙ୍କର ଚାଷ କାର୍ଯ୍ୟ କରୁଥିବା ବେଳେ ଜଣେ ନିଶାଖୋର ବ୍ୟକ୍ତି ଥିଲା। ଏହି ଘଟଣା ଘଟିବା ସମୟରେ ଶଙ୍କରଙ୍କ ସ୍ତ୍ରୀ ସମେତ ଘରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ମଧ୍ୟ ଏ ଘଟଣା ସମ୍ପର୍କରେ କେହି କିଛି ଜାଣିନଥିବା କହିଛନ୍ତି । ପୋଲିସ ପାଣିଟାଙ୍କିରୁ ୪ ମୃତଦେହକୁ ଉଦ୍ଧାର କରିଥିବା ବେଳେ ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରୁଛି।

Related Posts