
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଆଡିଲେଡଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ ଲିଗ ମ୍ୟାଚରେ ଆଫଗାନିସ୍ତାନରେ ୪ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଶକ୍ତିଶାଳୀ ଅଷ୍ଟ୍ରେଲିଆ ଏହି ମ୍ୟାଚରେ ସହଜରେ ଆଫଗାନିସ୍ତାନକୁ ପରାସ୍ତ କରିବ ବୋଲି ମନେ ହେଉଥିଲେ ଶୁଦ୍ଧା ଆଫଗାନିସ୍ତାନ ଲଢୁଆ ପ୍ରଦର୍ଶନ କରି ମ୍ୟାଚକୁ ରୋମାଞ୍ଚକର ସ୍ଥିତିକୁ ନେଇଆସିଥିଲା ।
ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୮ ରନ କରିଥିଲା । ଦଳ ପକ୍ଷରୁ ଗ୍ଲେନ ମାକ୍ସଓ୍ବେଲ ୫୪ ରନ କରିଥିବାବେଳେ ମିଚେଲ ମାର୍ସ ୪୫ ରନ କରିଥିଲେ । ସେହିପରି ଡେଭିଡ ଓ୍ବାର୍ନର ଓ ମାର୍କସ ଷ୍ଟୋଇନିସ ୨୫ ରନ ଲେଖାଏଁ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ନବୀନ-ଉଲ-ହକ ୩ଟି ଓ ଫଜଲହକ୍ ଫାରୁକି ୨ଟି ଓ୍ବିକେଟ୍ ନେଇଥିଲେ ।
୧୬୯ରନର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଆଫଗାନିସ୍ତାନ ଆରମ୍ଭରୁ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଶିବିରରେ ଚିନ୍ତା ଉଦ୍ରେକ କରିଥିଲା । ରହମାନୁଲ୍ଲା ଗୁରବାଜ ୩୦ ରନ, ଇବ୍ରାହିମ ଜରଦାନ ୨୬ରନ ଓ ଗୁଲବଦିନ ନଇବ ୩୯ ରନ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ମାତ୍ର ମଧ୍ୟଭାଗ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳ ପୁଣି ବିପଦରେ ପଡ଼ିଯାଇଥିଲା । କିନ୍ତୁ ଶେଷ ବେଳକୁ ରସିଦ ଖାଁ ମାତ୍ର ୨୩ ବଲରୁ ବିସ୍ଫୋରକ ୪୮ ରନ କରି ଆଶା ସଂଚାର କରିଥିଲେ ବି ଦଳ ୪ ରନ ପଛରେ ପଡ଼ିଯାଇଥିଲା ।