ଝାରସୁଗୁଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶନିବାର ଝାରସୁଗୁଡ଼ା ଜିଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ଝାରସୁଗୁଡ଼ା ସହରର ବାଲିଯୁରିସ୍ଥିତ ହାର୍ଟ ହସ୍ପିଟାଲକୁ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ। ପରେ ପରେ ଜିଲା ଖଣିଜପାଣ୍ଠି କକ୍ଷରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଜିଲା ପ୍ରଶାସନର ଅଧିକାରୀମାନଙ୍କ ସହିତ ସମୀକ୍ଷା ଆଲୋଚନା କରିଛନ୍ତି।

ରାଜ୍ୟ ସରକାରଙ୍କ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ରହିଛି ତାହା କିପରି ଝାରସୁଗୁଡ଼ାରେ କାର୍ଯ୍ୟକାରୀ ହେବ, ଘରକୁ ଘର ଜଳଯୋଗାଣ ପ୍ରକଳ୍ପ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜନସାଧାରଣ କିପରି ଉପକୃତ ହୋଇପାରିବେ ସେନେଇ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଜିଲାବାସୀଙ୍କ ସ୍ବପ୍ନ ହାର୍ଟ ହସ୍ପିଟାଲକୁ ମଧ୍ୟ ପରିଦର୍ଶନ କରିଥିଲେ ମୁଖ୍ୟ ଶାସନ ସଚିବ। ପରେ କଟାପାଲିସ୍ଥିତ ମେଗା ଉଠାଜଳସେଚନ ପ୍ରକଳ୍ପ ଓ ଜଳ ବିଷୋଧନାଗାର ପ୍ରକଳ୍ପ ପରିଦର୍ଶନରେ ଯାଇ ସମୀକ୍ଷା କରିଥିଲେ। ଜିଲାରେ ରହିଥିବା ୧୧ଟି ଉଠାଜଳସେଚନ ପ୍ରକଳ୍ପର ଚାଷୀମାନେ କିଭଳି ସୁବିଧା ପାଇ ପାରିବେ ତାହାକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ସେ ଓପିଜିସିର ବନହରପାଲିସ୍ଥିତ ଇବ୍‌ ଥର୍ମାଲ ପ୍ରକଳ୍ପ ସହିତ ନିଗମର ମନୋହରପୁରସ୍ଥିତ କୋଇଲା ଖଣି ମଧ୍ୟ ପରିଦର୍ଶନ କରିଥିଲେ।

Related Posts