ପ୍ରସ୍ତାବିତ ଆଇଏଏସ ସର୍ଭିସ ନିୟମ ପରିବର୍ତ୍ତନକୁ ବିରୋଧ କରି ୬ ମୁଖ୍ୟମନ୍ତ୍ରୀ ଲେଖିଲେ ଚିଠି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଆଇଏଏସ ସର୍ଭିସ ନିୟମକୁ ସାରା ଦେଶରେ ବିରୋଧ କରାଯାଉଛି । ଏହା ମଧ୍ୟରେ ଆଉ ଦୁଇଜଣ ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରୁଥିବାର ଦେଖିବାକୁ ମିଳିଛି । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏବଂ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଆଇଏଏସ ସର୍ଭିସ ନିୟମ ପରିବର୍ତ୍ତନ ବିରୋଧରେ କହିଛନ୍ତି । ଏହା ସହ ପ୍ରସ୍ତାବିତ ଆଇଏଏସ ସର୍ଭିସ ନିୟମ ପରିବର୍ତ୍ତନକୁ ବିରୋଧ କରି ୬ ଜଣ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ସେପଟେ ପ୍ରସ୍ତାବିତ ସଂଶୋଧନକୁ ବିରୋଧ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାନୁଆରୀ ୨୩ ରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଦେଶର ଫେଡେରାଲ୍ ଗଠନକୁ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି। ସେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଦୁଇଥିର ଚିଠି ଲେଖିଛନ୍ତି ବୋଲି ସୂଚନା ମିଳିଛି ।

ଏହାପୂର୍ବରୁ ରାଜସ୍ଥାନର ଅଶୋକ ଗେହଲୋଟ୍, ଛତିଶଗଡର ଭୁପେଶ ବାଗେଲ ଏବଂ ଝାଡ଼ଖଣ୍ଡର ହେମନ୍ତ ସୋରେନ ମଧ୍ୟ ମୋଦୀଙ୍କ ପ୍ରସ୍ତାବିତ ଆଇଏଏସ ସର୍ଭିସ ନିୟମ ପରିବର୍ତ୍ତନକୁ ବିରୋଧ କରିଥିଲେ । କେନ୍ଦ୍ର ସରକାର ଆଇଏଏସ ନିୟମ, ୧୯୫୪ ରେ ଏକ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି । ଯାହାକି ରାଜ୍ୟ ସରକାରଙ୍କ ସଂରକ୍ଷଣକୁ ଅତିକ୍ରମ କରି ଆଇଏଏସ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପୋଷ୍ଟ କରିବାରେ ସକ୍ଷମ ହେବ ବୋଲି ଦର୍ଶାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ସଂଶୋଧନ ଡ୍ରାଫ୍ଟକୁ ନେଇ ଗଭୀର ଚିନ୍ତା ପ୍ରକଟ କରି ଷ୍ଟାଲିନ ଲେଖିଛନ୍ତି ଯେ ଏହି ପଦକ୍ଷେପ କେନ୍ଦ୍ର ସହିତ କ୍ଷମତାର ଏକାଗ୍ରତା ସୃଷ୍ଟି କରିବ ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ କଳହ ସୃଷ୍ଟି କରିବ ।

ସେପଟେ ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ନୀତି କାର୍ଯ୍ୟକାରୀ କରିବାରେ ଅଲ ଇଣ୍ଡିଆ ସେବା ଅଧିକାରୀଙ୍କ ମଧ୍ୟରେ ଭୟ ମନୋବୃତ୍ତି ଏବଂ ଦ୍ୱନ୍ଦ୍ୱ ସୃଷ୍ଟି କରିବ ବୋଲି ବିଜୟ କହିଛନ୍ତି । ଆଇଏଏସ ଅଧିକାରୀଙ୍କ ଅଭାବ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଷ୍ଟାଲିନ କହିଛନ୍ତି ଯେ କେନ୍ଦ୍ରର ଭୁଲ କ୍ୟାଡର ପରିଚାଳନା ନୀତି ଯୋଗୁଁ ଅନେକ ରାଜ୍ୟ ସରକାର ମଧ୍ୟ ନିର୍ଦ୍ଦିଷ୍ଟ ବରିଷ୍ଠ ସ୍ତରରେ ଅଧିକାରୀଙ୍କ ଅଭାବରୁ ବଞ୍ଚିତ ହେଉଛନ୍ତି। କେନ୍ଦ୍ର ସରକାର ଜାତୀୟ ସ୍ତରରେ ଗ୍ରୁପ୍ ଅଧିକାରୀଙ୍କ ସାଧାରଣ ପୁଲ୍ ବ୍ୟବହାର କରୁଥିବାବେଳେ ରାଜ୍ୟ ସରକାର କେବଳ ଉପଲବ୍ଧ ଆଇଏଏସ୍ ଅଧିକାରୀଙ୍କ ସୀମିତ ପୁଲ ଉପରେ ନିର୍ଭର କରନ୍ତି। କେନ୍ଦ୍ର ଏପରି କରି ପୁଣି ପୁଣିଥରେ ଫେଡେରାଲ୍ ଗଠନକୁ ଉଲ୍ଲଂଘନ କରୁଛନ୍ତି ବୋଲି ଷ୍ଟାଲିନ କହିଛନ୍ତି ।

Related Posts