ଉପରାଷ୍ଟ୍ରପତି ନିର୍ବାଚନ; ଏନଡିଏ ପ୍ରାର୍ଥୀ ଜଦଦୀପ ଧନଖରଙ୍କୁ ସମର୍ଥନ ଘୋଷଣା କଲା ତେଲଗୁ ଦେଶମ ପାର୍ଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଦଦୀପ ଧନଖରଙ୍କୁ ସମର୍ଥନ ଘୋଷଣା କଲା ତେଲଗୁ ଦେଶମ ପାର୍ଟି (TDP) ।ଦଳ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥଲା ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦଳ ଏହାର ପୁନରାବୃତ୍ତି କରିଛି । ଚନ୍ଦ୍ରବାବୁ ନାଇଡୁ ଙ୍କର ତେଲଗୁ ଦେଶମ ପାର୍ଟି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନଡିଏ ମେଣ୍ଟରୁ ଓହରି ଯାଇଥିଲେ ମଧ୍ୟ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନା ଅନୁସାରେ, ଚଳିତ ମାସ (ଅଗଷ୍ଟ) ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଗତମାସ (ଜୁଲାଇ) ୧୬ ତାରିଖରେ ବିଜେପି ବୈଠକ ପରେ ଧନଖରଙ୍କୁ ଏନଡିଏ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଜୁଲାଇ ୧୮ ତାରିଖରେ ଜଗଦୀପ ଧନଖର ନାମାଙ୍କନ ଭରିଥିଲେ । ସେହିପରି ମିଳିତ ବିରୋଧୀ ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ମାର୍ଗାରେଟ ଅଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି । ମାର୍ଗାରେଟ ଅଲଭା ମଧ୍ୟ ଜୁଲାଇ ୧୯ ତାରିଖରେ ନାମାଙ୍କନ ଭରିସାରିଛନ୍ତି । ତେବେ ସଂଖ୍ୟା ଦୃଷ୍ଟିରୁ ଏନଡିିଏ ମେଣ୍ଟ ନିକଟରେ ବିଜୟୀ ହେବା ପାଇଁ ଯଥେଷ୍ଟ ସଂଖ୍ୟା ଥିବା ପରି ଦୃଶ୍ୟମାନ ହେଉଛି ।

Related Posts