ରାଜଧାନୀରେ ଲଜ୍ୟା: ଅଧ୍ୟାପକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଛାତ୍ରୀ, ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଲଜ୍ୟା । ଶିକ୍ଷା ଦେଉଥିବା ଅଧ୍ୟାପକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ କଲେଜ ଛାତ୍ରୀ । ଭୁବନେଶ୍ବର ନହରକଣ୍ଟା ଶ୍ରୀଜୟଦେବ କଲେଜରେ ଜଣେ ଛାତ୍ରୀ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଛାତ୍ରୀଙ୍କୁ ସେହି କଲେଜର ଜଣେ ଅଧ୍ୟାପକ ଯୌନ ନିର୍ଯାତନା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାର ସାମ୍ନାକୁ ଆସିବାପରେ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ତଦନ୍ତ ନିର୍ଦ୍ଦେଶ ଦେଇଛି ।

ଶ୍ରୀଜୟଦେବ କଲେଜ ଅଫ ଏଜୁକେସନ ଓ ଟେକ୍ନୋଲୋଜିରେ ଅଧ୍ୟାପକଙ୍କ ନାମରେ ଏହି ଅଭିଯୋଗ ଆସିଛି । ମାସ ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଅଧ୍ୟାପକ । ପୀଡ଼ିତା କଲେଜର ଯୁକ୍ତ 3 ବିଜ୍ଞାନ ବିଭାଗର ଛାତ୍ରୀ । ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ଘଟଣାକୁ କଲେଜ ଭିତରେ ଚାପି ଦେବା ପାଇଁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ଉଭୟ ଅଧ୍ୟାପକ ଓ ଛାତ୍ରୀଙ୍କୁ ପଚରାଉଚରା ସହ କଲେଜ କମିଟି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ଘଟଣାର ରିପୋର୍ଟ ପ୍ରଦାନ କରିଥିଲେ ।ଅନ୍ୟପଟେ ଏହି ଘଟଣା ଉଚ୍ଚଶିକ୍ଷା ବିଭାଗର ନଜରକୁ ଆସିବା ପରେ ତୁରନ୍ତ ଏନେଇ ପୁଙ୍ଖନାପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ କଲେଜକୁ ଚିଠି ଦେଇଛି ଉଚ୍ଚଶିକ୍ଷା ବିଭାଗ । ସମ୍ବେଦନଶୀଳ ଘଟଣା ବାବଦରେ ଥାନାରେ ଅଭିଯୋଗ ନକରି କାହିଁକି କଲେଜରେ ଚାପି ରଖିବାକୁ ଚେଷ୍ଟା କରାଯାଇଛି ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।

Related Posts