ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାମ ମୁଖ୍ୟମନ୍ତ୍ରୀ ହେବା ପରେ ଭଗୱନ୍ତ ମାନ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେବାରେ ଲାଗିଛନ୍ତି । ଏହା ମଧ୍ୟରେ ବିଧାୟକଙ୍କ ପେନସନକୁ ମାନ ବଡ଼ ଘୋଷଣା କରିଛନ୍ତି । ଏଣିକି ବିଧାୟକଙ୍କୁ ଗୋଟିଏ କାର୍ୟ୍ୟକାଳର ପେନସନ ମିଳିବ । ଏବେ ଯେତେଥର ଜଣେ ବିଧାୟକ ହେଉଥିଲେ, ସେତେଥର ପେନସନ ପାଉଥିଲେ । କିନ୍ତୁ ଆପ୍ ସରକାରରେ ଏହି ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଏବେ ବେରୋଜଗାରୀ ଏକ ବଡ ମୁଦ୍ଦା । ଯୁବବର୍ଗ ଡିଗ୍ରୀ ଧରି ଘରେ ବସିଛନ୍ତି । ଯେଉଁମାନେ ଚାକିରି ମାଗୁଛନ୍ତି, ସେମାନଙ୍କୁ ଲାଠି ପାହାର ମିଳୁଛି । ତେଣୁ ଏଭଳି ଏକ ସମସ୍ୟାକୁ ଶେଷ କରିବାକୁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି ।

ଅନେକ ବିଧାୟକ ୫ରୁ ୧୦ ଥର ଲେଖାଏଁ ଜିତିଛନ୍ତି । ସେମାନଙ୍କୁ ମାସିକ ଲକ୍ଷାଧିକ ଟଙ୍କାର ପେନସନ ମିଳୁଛି । କାହାକୁ ୪ ଲକ୍ଷ ତ ପୁଣି କାହାକୁ ୫ ଲକ୍ଷ ଟଙ୍କାର ପେନସନ ମିଳୁଛି । କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ପୂର୍ବରୁ ସାଂସଦ ପରେ ବିଧାୟକ ହୋଇଛନ୍ତି । ଆଉ ଏଭଳି ନେତା ମାନେ ଉଭୟ ସାଂସଦ ଓ ବିଧାୟକଙ୍କ ପେନସନ ପାଉଛନ୍ତି । ଯାହାଦ୍ୱାରା ରାଜକୋଷରୁ ଅଧିକ ଟଙ୍କା ବ୍ୟୟ ହେଉଛି । ତେଣୁ ମାତ୍ର ଗୋଟିଏ କାର୍ୟ୍ୟକାଳର ପେନସନ ପାଇପାରିବେ ବିଧାୟକ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି । ଯିଏ ଯେତେଥର ଜିତୁ । ଏଣିକି ବିଧାୟକଙ୍କୁ ମାତ୍ର ଗୋଟିଏ କାର୍ୟ୍ୟକାଳର ପେନସନ ମିଳିବ ।ଯାହାଦ୍ୱାରା କୋଟି କୋଟି ଟଙ୍କା ବଞ୍ଚିଯିବ । ଆଉ ଏହି ଟଙ୍କାକୁ ଜନସାଧାରଣଙ୍କ ସୁବିଧା ସୁଯୋଗ ପାଇଁ ଖର୍ଚ୍ଚ କରାଯିବ । ଏହାଛଡା ବିଧାୟକଙ୍କ ପରିବାରକୁ ମିଳୁଥିବା ପେନସନ ଅର୍ଥକୁ ମଧ୍ୟ କମାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।