ପାକିସ୍ତାନ ରେ ମହଙ୍ଗା ମାଡ:ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୦ ଟଙ୍କାକୁ ବୃଦ୍ଧି

ଇସଲାମବାଦ: ଅଶାନ୍ତ ପାକିସ୍ତାନ | ଶ୍ରୀଲଙ୍କା ପରି ଏବେ ଧୀରେ ଧୀରେ ପାକିସ୍ତାନ ସ୍ତିତି ମଧ୍ୟ ସେହିପରି ହେବାକୁ ବସିଲାଣି | କ୍ଷମତା ପରିବର୍ତ୍ତନ ପରେ ବି ସୁଧୁରୁନି ପାକିସ୍ତାନ ସ୍ଥିତି। ଦିନକୁ ଦିନ ଅଶାନ୍ତ ହୋଇପଡ଼ୁଥିବା ପାକିସ୍ତାନର ଆର୍ଥିକ ସ୍ଥିତି ବି ବିଗିଡ଼ିବାରେ ଲାଗିଛି।

ଦେଶରେ ଫୁଟିଛି ମହଙ୍ଗା ବୋମା। ଲମ୍ବ ଡିଆଁ ମାଡ଼ିଛି ପେଟ୍ରୋଲ, ଡିଜେଲ ଦର । ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୦ ଟଙ୍କା ଲେଖା ବଢ଼ିଥିବା ବେଳେ ଏହା ଗତକାଲି ବିଳମ୍ବିତ ରାତିରୁ ଲାଗୁ ହୋଇଛି। ଇସଲାମବାଦରେ ପେଟ୍ରୋଲ ଲିଟର ପିଛା ୧୭୯.୮୬ ଟଙ୍କା ହୋଇଥିବା ବେଳେ ଡିଜେଲର ଦାମ ୧୭୪.୧୫ ଟଙ୍କାରେ ପହଞ୍ଚିଛି । କିରୋସିନ ଲିଟର ପିଛା ବି ୩୦ ଟଙ୍କା ବୃଦ୍ଧି ପାଇ ୧୫୫.୫୬ ଟଙ୍କାରେ ପହଞ୍ଚି ଯାଇଛି।

ପାକିସ୍ତାନରେ ଏପରି ମହଙ୍ଗା ମାଡ଼ ପରେ ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ୍ଷମତାସୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାକୁ ନେଇ ସେ ପାକିସ୍ତାନ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ସେ କହିଛନ୍ତି, ରୁଷଠାରୁ ୩୦% ଶସ୍ତାରେ ତେଲ ଆଣିବା ପାଇଁ ଆମ ଡିଲ୍‌ ଚାଲିଥିବା ବେଳେ ଏହାକୁ ଅକ୍ଷମ ସରକାର ଚୂଡ଼ାନ୍ତ ରୂପ ଦେଇ ପାରି ନାହାନ୍ତି। ଏବେ ଏହି ରେଟ ବୃଦ୍ଧି କରି ସେମାନେ ବିଦେଶୀ ଶାସକଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି।

ଅପରପକ୍ଷେ, ରୁଷଠାରୁ ତେଲ କିଣିବାକୁ ଭାରତର ରଣନୀତିକୁ ପ୍ରଶଂସା କରିଛନ୍ତି ଇମ୍ରାନ ଖାନ । ଆମେରିକାର ରଣନୀତି ସହଯୋଗୀ ଭାରତ ରୁଷରୁ ଶସ୍ତାରେ ତେଲ କିଣିବାକୁ ସକ୍ଷମ ହୋଇଥିବା କହିଛନ୍ତି।

ପାକିସ୍ତାନ ସରକାର ପେଟ୍ରୋଲିୟମ ଉତ୍ପାଦ ଉପରେ ୩୦ ଟଙ୍କା ଲେଖା ବୃଦ୍ଧି କରିବାକୁ ଘୋଷଣା କରିଥିବା ନେଇ ଏହାର ଅର୍ଥମନ୍ତ୍ରୀ ଗତକାଲି ଘୋଷଣା କରିଥିଲେ।। ସରକାରଙ୍କ ପାଖରେ ଏହାବାଦ ଆଉ କିଛି ବିକଳ୍ପ ନାହିଁ। ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ କାର୍ଯ୍ୟକ୍ରମର ପୁନରୁଦ୍ଧାରକୁ ସୁନିଶ୍ଚିତ କରିବାକୁ ଏପରି ପଦକ୍ଷେପ ଉଠା ଯାଇଥିବା ସେ କହିଛନ୍ତି। ନୂଆ ଦର ଲାଗୁ ହେବା ପରେ ବି ଡିଜେଲ ଲିଟର ପିଛା ସରକାର ୫୬ ଟଙ୍କା କ୍ଷତି ସହୁଥିବା କହିଛନ୍ତି ଅର୍ଥମନ୍ତ୍ରୀ। ପେଟ୍ରୋଲ, ଡିଜେଲର ଏପରି ଦାମ ବୃଦ୍ଧି ପରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ଆକାଶଛୁଆଁ ହେବାର ଆଶଙ୍କା ଦେଖାଦେଇଛି।

Related Posts