
ହାଇଦ୍ରାବାଦ : ହାଇଦ୍ରାବାଦ ଉପକଣ୍ଠର ନାଦରଗୁଲ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଗୋଟିଏ ପରିବାରର ୪ ଜଣ ଆତ୍ମହତ୍ୟା କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୋମବାର ବିଳମ୍ୱିତ ରାତିରେ ଗୋଟିଏ ପରିବାରର ସ୍ୱାମି-ସ୍ତ୍ରୀ ତାଙ୍କର ଦୁଇଟି ଛୋଟ ପିଲାଙ୍କୁ ଧରି ରଙ୍ଗା ରେଡ୍ଡି ଜିଲ୍ଲାରେ ଥିବା କୁରମଲଗୁଡ଼ା ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେହି ମୃତଦେହଗୁଡ଼ିକୁ ପୋଲିସ ହ୍ରଦରୁ ଉଦ୍ଧାର କରିଛି। ଖବର ସରବରାହ ସଂସ୍ଥା ଆଇଏଏନଏସ ଅନୁସାରେ ମୃତବ୍ୟକ୍ତିଙ୍କ ପରିଚୟ କ୍ୟୁଦ୍ଦୁସ ପାସା (୩୭),ଫାତିମା (୨୮), ମେହର (୯) ଓ ଫିର୍ଦ୍ଦୋସ ବେଗମ (୬)ବୋଲି ପୋଲିସ କହିଛି। ଆତ୍ମହତ୍ୟା କରିବା ପୂର୍ବରୁ ମୃତକମାନେ ବିଷ ପିଇଥିଲେ। ସ୍ଥାନୀୟ ଲୋକମାନେ ଏହା ଦେଖି କୁଦ୍ଦୁସ ପାସା ଓ ମେହେରଙ୍କୁ ପାଣିରୁ ଟାଣିଆଣିଥିଲେ। କିନ୍ତୁ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା।
ପୋଲିସ ଅନ୍ୟଦୁଇ ପିଲାଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ଚେଷ୍ଠା କରିଥିଲା କିନ୍ତୁ ସଫଳ ହୋଇନଥିଲା। ଆଇଏଏନଏସ ରିପୋର୍ଟ ଅନୁସାରେ ମଙ୍ଗଳବାର ତାଙ୍କ ମୃତ ଦେହକୁ ହ୍ରଦରୁ ଉଦ୍ଧାର କରାଯାଇଥିଲା। ୪ ଜଣଙ୍କ ମୃତଦେହକୁ ଓସମାନଆ ଜେନେରାଲ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।
ଆର୍ଥିକ ସମସ୍ୟା ପାଇଁ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତାଙ୍କର ସମ୍ପର୍କିୟମାନେ କହିଛନ୍ତି। କୁଦ୍ଦୁସ ଅନ୍ୟମାନଙ୍କ ଠାରୁ ଟଙ୍କା କରଜ ଆଣି ସେମାନଙ୍କୁ ଫେରାଇବାକୁ ଅକ୍ଷମ ଥିଲେ ବୋଲି ଜଣା ପଡ଼ିଛି। ସେ ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କୁ ୧୦ହଜାର ଟଙ୍କା ଧାର୍ ଦେବା ପାଇଁ କହିଥିଲେ ।