ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଶଙ୍କରାଚାର୍ଯ୍ୟ ଯାହା କହିଛନ୍ତି; ତା’ ଠାରୁ ବଡ଼ ମନ୍ତବ୍ୟ ଅନ୍ୟ କିଛି ନାହିଁ: ପିସିସି ସଭାପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ ଶାସକ ଦଳକୁ ବିରୋଧୀ ବାରମ୍ବାର ଟାର୍ଗେଟ କରି ଆସୁଛନ୍ତି । ଏହା ମଧ୍ୟରେ ପ୍ରକଳ୍ପକୁ ନେଇ ନବନିର୍ବାଚିତ ପିସିସି ସଭାପତି ଶରତ ପଟ୍ଟନାୟକ ବଡ଼ ବୟାନ ଦେଇଛନ୍ତି । ତେବେ ଆମେ ବିକାଶକୁ ବିରୋଧ କରୁନୁ। ଏହାର ମାନେ ନୁହେଁ, ଶ୍ରୀଜଗନ୍ନାଥ ସଂସ୍କୃତିକୁ ଦଳିଚକଟି ଦେବା। ଏହା ସପକ୍ଷରେ କଂଗ୍ରେସ କେବେ ବି ରହିନି କି ରହିବନି। ଯିଏ ଶ୍ରୀଜଗନ୍ନାଥଙ୍କ ସହ ଖେଳ ଖେଳୁଛନ୍ତି ଏବଂ ଶ୍ରୀମନ୍ଦିରକୁ ସୁରକ୍ଷା ଦେଇ ପାରୁନାହାନ୍ତି, ସେ ଆଦୌ ଗ୍ରହଣଯୋଗ୍ୟ ନୁହନ୍ତି। ଯାହା କାମ ହେଉଛି ଆଇନ ଭିତରେ ହେଉ। ଜଗତ୍‌ଗୁରୁ ଶଙ୍କରାଚାର‌୍ୟ୍ୟ ଯାହା କହିଛନ୍ତି, ତା’ଠାରୁ ବଡ଼ ମନ୍ତବ୍ୟ ଅନ୍ୟ କିଛିନାହିଁ। ଖୁବ୍‌ଶୀଘ୍ର କଂଗ୍ରେସର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପାଇଁ ଆସିବ। ଆଜି ପୁରୀ ଗସ୍ତବେଳେ ଏଭଳି ମନ୍ତବ୍ୟ ରଖିଛନ୍ତି ନବନିର୍ବାଚିତ ପିସିସି ସଭାପତି ଶରତ ପଟ୍ଟନାୟକ। ସେପଟେ ଶ୍ରୀ ପଟ୍ଟନାୟକ ଆଜି ପୁରୀରେ ପହଞ୍ଚିବା ପରେ ବାଟମଙ୍ଗଳାଠାରୁ ତାଙ୍କୁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା।

ପରେ କର୍ମକର୍ତ୍ତାଙ୍କ ଗହଣରେ ଶ୍ରୀ ପଟ୍ଟନାୟକ ଶ୍ରୀମନ୍ଦିରଠାରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଦାୟିତ୍ବ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ କୃପାଭିକ୍ଷା କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ସ୍ବତନ୍ତ୍ର ସର୍କିଟ୍ ହାଉସ୍‌ଠାରେ ଦଳୀୟ ନେତାଙ୍କ ସହ ସାଂଗଠନିକ ଦାୟିତ୍ବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ପୁରୀ ଜିଲ୍ଲା ସଭାପତି, ବ୍ଲକ୍ ସଭାପତି ଚୟନ ନେଇ ଦଳୀୟ ନେତାଙ୍କ ଆବଶ୍ୟକ ପରାମର୍ଶ ଲୋଡ଼ିଛନ୍ତି। ଅନ୍ୟପଟେ ରାଜ୍ୟରେ ସବୁ ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତା ଚୟନ ଜୁଲାଇ ଭିତରେ ସରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ନବୀନ ସରକାର ୨ଲକ୍ଷ ଯୁବକଙ୍କୁ ଚାକିରି ଓ ଜଳସେଚନ ଆଦିର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆଜି ସ୍ବପ୍ନ ପାଲଟିଛି। ବିଜେପି ସରକାର ଯେଉଁ ଅଚ୍ଛାଦିନ କଥା କହୁଥିଲା, ତା’ ବି ଛଳନା ପାଲଟିଛି। ଦରଦାମରେ ଅହେତୁକ ବୃଦ୍ଧି ଘଟିଛି। ୨୦୨୪ରେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Related Posts