
ଫରୁଖାବାଦ : ସରକାରୀ କାର୍ଯ୍ୟାଳୟରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ୍ ଲାଡେନ ଫଟୋ । ଉତ୍ତରପ୍ରଦେଶର ଫାରୁଖାବାଦର ଜଣେ ଅଧିକାରୀ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ନିଜର ଗୁରୁ ବୋଲି କହୁଛନ୍ତ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସେ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଲାଡେନର ଫଟୋ ଲଗାଇଛନ୍ତି।
ଫରୁଖାବାଦର ନୱାବଗଞ୍ଜ ବିଜୁଳି ନିଗମ କାର୍ଯ୍ୟାଳୟରେ ଲାଗିଥିବା ଓସାମା ବିନ୍ ଲାଡେନର ଫଟୋ ଭାଇରାଲ ହେବା ପରେ ଏବେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଫଟୋ ତଳେ ଶ୍ରଦ୍ଧେୟ ଓସାମା ବିନ୍ ଲାଡେନ୍ ବିଶ୍ୱର ସର୍ବଶ୍ରେଷ୍ଠ କନିଷ୍ଠ ଯନ୍ତ୍ରୀ ମଧ୍ୟ ଲେଖା ଯାଇଛି। ଏହାତଳେ ସମ୍ପୃକ୍ତ ଏସଡିଓ ରବିନ୍ଦ୍ର ଗୌତମଙ୍କର ନାଁ ଲେଖା ଯାଇଛି।
ଏନେଇ ଅଧୀକ୍ଷଣ ଯନ୍ତ୍ରୀ ଏସ. କେ. ଶ୍ରୀବାସ୍ତବ କହିଛନ୍ତି ଏପରି ଘଟଣାର ସୂଚନା ତାଙ୍କୁ ଦିଆଯାଇଛି । ଏଥିପାଇଁ ତଦନ୍ତ କମିଟି ତିଆରି କରାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୱାବଗଞ୍ଜ ବିଜୁଳି ନିଗମ କାର୍ଯ୍ୟାଳୟକ ଅପେକ୍ଷା ଗୃହର କାନ୍ଥରେ ଲାଗିଥିବା ଓସାମା ବିନ୍ ଲାଡେନ୍ର ଫଟୋ ଏବେ ଭାଇରାଲ ହୋଇଛି। କାନ୍ଥରେ ଲାଗିଥିବା ଫଟୋ ଭାଇରାଲ ହେବା ପରେ ଏହାର ସୂଚନା ଉପରିସ୍ଥ ଅଧିକାରୀମାନଙ୍କ ପାଖରେ ପହଞ୍ଚିଛି। ଏହାପରେ ସେଠାରୁ ଲାଡେନର ଫଟୋ କାଢ଼ି ଦିଆଯାଇଛି।
ଉପଖଣ୍ଡ ଅଧିକାରୀ ରବିନ୍ଦ୍ର ଗୌତମଙ୍କୁ ଯୋଗାଯୋଗ କରିବାରୁ ଲାଡେନ ତାଙ୍କର ଗୁରୁ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଫଟୋ ଯଦି ହଟିଯାଇଛି ତାହେଲେ ଅଲଗା ଫଟୋ ମଧ୍ୟ ଲଗାଯାଇ ପାରିବ। ଅନ୍ଯପଟେ ଏହାକୁ ନେଇ ଉପରିସ୍ଥ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଛି ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ।