ଫ୍ୟାନ୍ସଙ୍କ ପ୍ରତୀକ୍ଷାର ଘଟିଲା ଅନ୍ତ: ବିବାହ ବନ୍ଧନରେ ବାନ୍ଧି ହେଲେ ରଣବୀର ଓ ଆଲିଆ

ମୁମ୍ୱାଇ: ଚର୍ଚ୍ଚା, ପ୍ରତୀକ୍ଷାର ଅନ୍ତ । ସବୁ ସସ୍‌ପେନ୍ସକୁ ପଛରେ ପକାଇ ସାତ ଜନ୍ମ ପାଇଁ ପରସ୍ପର କୁ ଜୀବନ ସାଥି ରୂପେ ବାଛି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡର ଆଉ ଏକ ଲଭ୍ ବାର୍ଡ । ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ପଡିଛି ହାତଗଣ୍ଠି । ଉଭୟ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି । ଏହି ଗ୍ରାଣ୍ଡ ବିବାହର ଏକ ଝଲକ୍ ଦେଖିବା ପାଇଁ ଫ୍ୟାନ୍ସ ବେଶ୍ ଉତ୍ସାହିତ ଥିବା ବେଳେ ଏବେ ବିବାହର କିଛି ଫଟୋ ସାମ୍ନାକୁ ଆସିଛି । ବିବାହର ଏହି ଫଟୋ ଆଲିଆ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ।

ବିବାହର ସମସ୍ତ ରୀତିନୀତି ସରିବା ପରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ‘ବାସ୍ତୁ’ର ଟେରାସ୍‌କୁ ଆସିଥିଲେ । ସେଠାରେ ଉଭୟ ଫଟୋ ଶୁଟ୍ କରୁଥିବାର ନଜର ଆସିଥିଲେ । ରଣବୀର ଏବଂ ଆଲିଆଙ୍କୁ ଛାତ ଉପରେ ଦେଖି ବିବାହସ୍ଥଳ ବାହାରେ କିଛି ଦିନ ହେବ ଡେରା ପକାଇଥିବା ମିଡିଆ ମଧ୍ୟ ସେମାନଙ୍କ ଫଟୋ ଉଠାଇ ନେଇଥିଲେ । ରଣବୀର ଏବଂ ଆଲିଆଙ୍କ ଏହି ପ୍ରଥମ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ଆଲିଆ ଭଟ୍ଟ ବଧୂ ବେଶରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଶାଶୁ ନୀତୁ କପୁର ଆଲିଆଙ୍କୁ ଦେଖି ତାଙ୍କ ନଜର ଉତାରିଥିଲେ । ଶାଶୁ ନୀତୁ କପୁର ଏବଂ ନମନ୍ଦ ରିଦ୍ଧିମା କପୁର ଶାହାନୀ ବିବାହର ଦିନକ ପୂର୍ବରୁ ମିଡିଆରେ ଆଲିଆଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିଥିଲେ । ନୀତୁ କପୁର ବିବାହର ତାରିଖ ନିଶ୍ଚିତ କରିଥିବା ବେଳେ ରିଦ୍ଧିମା ଆଲିଆଙ୍କୁ କଣ୍ଢେଇ ଭଳି ସୁନ୍ଦର ବୋଲି କହିଥିଲେ । ଏହା ଶୁଣିବା ପରେ ଆଲିଆଙ୍କ ଲୁକ୍ ଦେଖିବା ପାଇଁ ସମସ୍ତେ ବେଶ୍ ଉତ୍ସାହିତ ଥିଲେ । ଏହି ଅବସରରେ ଅନେକ କଳାକାର ଉପସ୍ଥିତ ରହିଥିଲେ ।

Related Posts