ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ବିହାରରେ ନୂତନ ସରକାର ଗଠନ ପରେ ପୂର୍ବତନ ଜେଡିୟୁ ନେତା ଆରସିପି ସିଂ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ଭାବେ ଭାଜପାରେ ଯୋଗଦେବି। ନୀତୀଶ କୁମାର ବିହାରର ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ତାଙ୍କୁ ଉତ୍ତର ଦେବାକୁ ପଡିବ। ମୁଖ୍ୟମନ୍ତ୍ରୀ ଚଉକି ପାଇଁ ସେ ଯେକୌଣସି ବ୍ୟକ୍ତିଙ୍କ ସହ ହାତ ମିଳାଇ ପାରିବେ। ନୀତୀଶ କୁମାର ତାଙ୍କ ସାତ ଜନ୍ମରେ ମଧ୍ୟ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି। ମନ୍ତ୍ରୀ ହେବାର ଅଭିଯୋଗ ଉପରେ ଆରସିପି ସିଂ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ମୁଁ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲି। ଯଦି ନୀତୀଶ ଜୀ କହୁଛନ୍ତି ଯେ, ମୁଁ ତାଙ୍କୁ ନ ପଚାରି ମନ୍ତ୍ରୀ ହୋଇଥିଲି, ତେବେ ସେ ସମ୍ପୂର୍ଣ୍ଣ ମିଛ କହୁଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁର ଜଣେ ମାତ୍ର ସଦସ୍ୟଙ୍କୁ ମନ୍ତ୍ରୀ କରାଯିବ ବୋଲି ଭାଜପା ପ୍ରସ୍ତାବ ଦେଇଥିଲା। ନୀତିଶ କୁମାର ଭାଜପାର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। କିନ୍ତୁ ଜେଡିୟୁର ଅନ୍ୟତମ ବରିଷ୍ଠ ନେତା ଆରସିପି ସିଂହ ଭାଜପାର ପ୍ରସ୍ତାବକୁ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ହେଲେ ତାଙ୍କର ରାଜ୍ୟ ସଭା କାର୍ଯ୍ୟକାଳ ପୂରଣ ହୋଇଯିବାରୁ ଜେଡିୟୁ ତାଙ୍କୁ ଆଉ ଥରେ ରାଜ୍ୟସଭାକୁ ପଠାଇ ନଥିଲା । ଫଳରେ ସେ ଦଳରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ଆରସିପି ସିଂ ନୀତିଶ କୁମାରଙ୍କୁ ସମାଲୋଚନା କରି ଜେଡିୟୁ ଗୋଟିଏ ବୁଡାଜାହାଜ ବୋଲି କହିଥିଲେ। ଆରସିପି ସିଂଙ୍କ ଇସ୍ତାଫା ହିଁ ଭାଜପା ଏବଂ ଜେଡିୟୁ କଳିର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏହି କଳି ଯୋଗୁ ନୀତୀଶ ଭାଜପା ହାତ ଛାଡି ମହାମେଣ୍ଟ ସହ ମିଶି ବିହାରରେ ସରକାର ଗଠନ କରିଥିଲେ।

Related Posts