
ପୁରୀ : ପୁରୀ ଏମାର ମଠ ଖନନ ସ୍ଥାନରେ ମିଳିଛି ଭଗ୍ନ ସିଂହ ମୂର୍ତ୍ତି । ତେବେ ଏନେଇ ମୂର୍ତ୍ତି ମିଳିବା ପରେ ଏଏସଆଇ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ପୁରୀରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟକୁ ଏହି ମୂର୍ତ୍ତିକୁ ସ୍ଥାନାନ୍ତର କରିଛି ।
ମୂର୍ତ୍ତି ସ୍ଥାନାନ୍ତର ବେଳେ ସ୍ଥାନୀୟ କିଛି ବ୍ୟକ୍ତି ଏହାକୁ ବିରୋଧ କରିଥିଲେ। ତେବେ ଏହି ସିଂହ ମୂର୍ତ୍ତୀ ଦୁଇଟି ଗଙ୍ଗ ସାମ୍ରାଜ୍ୟ ସମୟର ହୋଇଥାଇ ପାରେ ବୋଲି ପୂର୍ବରୁ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ କହିଥିଲେ। ସେପଟେ ଐତିହ୍ୟ କିର୍ତ୍ତୀରାଜି ପ୍ରତି ଅବହେଳାକୁ ନେଇ ସିଂହଦ୍ଵାର ଥାନାରେ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ନାଁରେ ଭଏସ ଅଫ କମନ୍ ମ୍ୟାନ୍ ପକ୍ଷରୁ ଏତଲା ଦିଆଯାଇଛି।
ଏଏସଆଇର ୬ ଜଣିଆ ଟିମ୍ ଖନନ ସ୍ଥାନରେ ପହଞ୍ଚିବା ପରେ ଭଙ୍ଗା ସିଂହ ମୂର୍ତ୍ତିକୁ ଦୁଇଟିକୁ ଅଖାରେ ଘୋଡାଇ ଟ୍ରାକ୍ଟର ଯୋଗେ ଏଏସଆଇ ପୁରୀରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟକୁ ସୁରକ୍ଷିତ ଭାବେ ନେଇଛନ୍ତି। ତେବେ ମୂର୍ତ୍ତି ସ୍ଥାନାନ୍ତର ବେଳେ ସ୍ଥାନୀୟ କିଛି ଲୋକେ ଏହାକୁ ବିରୋଧ କରିଥିଲେ। ସିଂହଦ୍ଵାର ଥାନା ଅଧିକାରୀ ଓ ସିଟି ଡିଏସପିଙ୍କ ବୁଝାସୁଝା ପରେ ବିରୋଧ ହଟିଥିଲା। କିଛିଦିନ ପୂର୍ବରୁ ଏମାର ମଠ ଖନନ ସ୍ଥାନରେ ଭଙ୍ଗା ସିଂହ ମୂର୍ତ୍ତି ପଡ଼ିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ଗତ ୧୭ ତାରିଖରେ ଖନନ ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରିଥିଲା ଏଏସଆଇ ଟିମ୍।