ୟୁପି ଷ୍ଟାର ପ୍ରଚାରକ ତାଲିକାରେ ଆଜାଦ; ବିବାଦ ପରେ ନୂଆ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ରାଜନୈତିକ ଦଳମାନେ ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିବାରେ ଲାଗିଛନ୍ତି । ପୂର୍ବରୁ କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନର ପ୍ରଚାର ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କରିଥିଲା। ହେଲେ ଏଥିରେ ସଚିନ ପାଇଲଟ, ମନୀଷ ତିୱାରୀ ଓ ଗୁଲାମ ନବୀ ଆଜାଦଙ୍କ ନାଁ ନଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଚାର ପାଇଁ କଂଗ୍ରେସ ଆଜି ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏଥିରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନାଁ ନାହିଁ। ତେବେ ପଞ୍ଜାବର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଥିବା ଗୁଲାମ ନବୀ ଆଜାଦଙ୍କୁ ୟୁପିରେ ପ୍ରଚାର କରିବାକୁ କଂଗ୍ରେସ କହିଛି।

ସେହିପରି ୩୦ ଜଣିଆ ତାଲିକାରେ ସଚିନ ପାଇଲଟଙ୍କ ନାଁ ରହିଛି। ହେଲେ ପଞ୍ଜାବ ସାଂସଦ ତଥା ବରିଷ୍ଠ ନେତା ମନୀଷ ତିୱାରୀ ଏଯାଏ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇ ନାହାନ୍ତି। ଏଥିପାଇଁ ସେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଜାରି ହୋଇଥିବା ୩୦ ଜଣିଆ ତାଲିକାରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ପିଏଲ ପୁନିଆଙ୍କ ଭଳି ବରିଷ୍ଠ ନେତାଙ୍କ ନାଁ ରହିଛି। ଏମାନେ ସମସ୍ତେ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ପର୍ୟ୍ୟାୟ ୟୁପି ନିର୍ବାଚନ ପାଇଁ ପ୍ରଚାର କରିବେ।

Related Posts