ରକ୍ଷକ ସାଜିଲା ଭକ୍ଷକ: ଦୀର୍ଘ ୪ ବର୍ଷ ଧରି ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିବା କମିଶନରେଟ ପୁଲିସର ଜଣେ କନଷ୍ଟେବଲ ଗିରଫ

ଭୁବନେଶ୍ୱର: ରକ୍ଷକ ସାଜିଲା ଭକ୍ଷକ। ସୁରକ୍ଷା ଯୋଗାଉଥିବା ରକ୍ଷକ ଭକ୍ଷକ ସାଜିଲା | ଦୀର୍ଘ ୪ ବର୍ଷ ଧରି ଜଣେ ନାବାଳିକାଙ୍କୁ କ୍ରମାଗତ ଭାବେ ଯୌନ ନିର୍ଯାତନା ଦେଉଥିଲା | କମିଶନରେଟ ପୁଲିସର ଜଣେ କନଷ୍ଟେବଲ | ତେବେ ଶେଷରେ ଗିରଫ ହୋଇଛି କନ୍ଷ୍ଟେବଳ । ମହିଳା ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା। ମହିଳା ଥାନା ପୁଲିସ୍ ଅଭିଯୁକ୍ତ କନଷ୍ଟେବଲ ରଜନୀକାନ୍ତ ଗମଙ୍ଗୋକୁ ଗିରଫ କରିଛି।

ରଜନୀକାନ୍ତ ନାବାଳିକାଙ୍କୁ ୧୩ ବର୍ଷ ବୟସ ବେଳଠାରୁ ଯୌନ ଶୋଷଣ କରି ଆସୁଥିଲା। ଏବେ ନାବାଳିକାଙ୍କ ବୟସ ୧୭ ବର୍ଷ। ସେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଶୁଟିଂ କରିଥିଲା। ଏହାପରେ ଏହାକୁ ଦେଖାଇ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲା। ଭିଡିଓକୁ ସୋଶାଲ ମିଡିଆରେ ଅପଲୋଡ କରିବାର ଧମକ ଦେଇ ରଜନୀକାନ୍ତ ନାବାଳିକାଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ଏଥିସହ ଭିଡିଓ ଡିଲିଟ କରିବାକୁ ରଜୀନକାନ୍ତ ନାବାଳିକଙ୍କୁ ୫୦ ହଜାର ଟଙ୍କା ଦେବାକୁ ମଧ୍ୟ କହିଥିଲା।

ଯେତେବେଳେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ପୀଡ଼ିତା ନାବାଳିକା ଜଣଙ୍କ ଏନେଇ ପ୍ରଥମେ ଚାଇଲ୍ଡ ଲାଇନରେ ଅଭିଯୋଗ କରିଥିଲେ। ଚାଇଲ୍ଡ ଲାଇନର ସହଯୋଗରେ ନାବାଳିକା ଜଣଙ୍କ ମହିଳା ଥାନାରେ ଗତକାଲି ଏଫଆଇଆର ରୁଜୁ କରିଥିଲେ।

ଏହାପରେ ମହିଳା ଥାନା ଆଇଆଇସି ବେଶ କୌଶଳକ୍ରମେ ଅଭିଯୁକ୍ତକୁ ଡ୍ୟୁଟି ସ୍ଥଳରୁ ହିଁ ଗିରଫ କରିଥିଲେ। ଏଥିସହ ତା’ ଘର ରେଡ୍ କରି ଅଶ୍ଳୀଳ ଭିଡିଓ ପାଇଁ ବ୍ୟବହାର ହୋଇଥିବା ବୈଦ୍ୟୁତିକ ଯନ୍ତ୍ରକୁ ମଧ୍ୟ ଜବତ କରାଯାଇଛି। ରେଡ୍ ବେଳେ ଡିସିପି ଓ ଏସିପି ଜୋନ-୧ ପୂରା ଘଟଣା ଉପରେ ନଜର ରଖିଥିଲେ।

ପୀଡ଼ିତାଙ୍କ ବୟାନ ୧୬୧ ଅନୁଯାୟୀ ଥାନାରେ ଓ ୧୬୪ ଅଧୀନରେ କୋର୍ଟରେ ରେକର୍ଡ କରାଯାଇଛି। ଏଥିସହ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରାଯାଇଛି। ଅଭିଯୁକ୍ତକୁ ଗିରଫ କରିବା ପରେ ମହିଳା ଥାନ ପୁଲିସ୍ ତା’କୁ କୋର୍ଟ ଚାଲାଣ କରିଛି।

Related Posts