ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ହଜାର ହାଜର ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନରେ ଫସିଯାଇଥିଲେ । ଏହି ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ଅପରେସନ ଗଙ୍ଗା ଆରମ୍ଭ କରିଥିଲେ । ଏହା ମଧ୍ୟରେ ୟୁକ୍ରେନର ସୁମିରେ ଫସିରହିଥିବା ଛାତ୍ରଛାତ୍ରୀମାନେ ଭାରତରେ ପହଞ୍ଚିଛନ୍ତି । ତେବେ ନିଜ ପୁଅକୁ ଫେରିପାଇ ଜଣେ ବାପା ପ୍ରଧାନମନ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ସେ ମୋ ପୁଅ ନୁହେଁ, ମୋଦୀଙ୍କ ପୁଅ ବୋଲି ୟୁକ୍ରେନ୍ ଫେରନ୍ତା ପୁଅକୁ ପାଇ ଭାବବିହ୍ବଳ ହୋଇ ଛଳଛଳ ଆଖିରେ କହିପକାଇଛନ୍ତି କଶ୍ମୀର ବାସିନ୍ଦା ସଞ୍ଜୟ ପଣ୍ଡିତ। ୟୁକ୍ରେନ୍ର ସୁମି ଫସି ରହିଯାଇଥିବା ପୁଅକୁ ଉଧାର କରି ଆଣିଥିବା ସରକାରଙ୍କୁ ଧନ୍ୟବାଦ ଜଣାଇ ପଣ୍ଡିତ କହିଲେ, ସୁମିରେ ଯେଭଳି ପରିସ୍ଥିତି ପୁଅ ଯେ, ଆଉ ଫେରିବ, ମୋର ଆଶା ନ ଥିଲା। ସରକାରଙ୍କ ନିକଟରେ ମୁଁ କୃତଜ୍ଞ।
ଅନ୍ୟପଟେ ପିଲାମାନଙ୍କୁ ଦେଖିବେ ବୋଲି ୫/୬ ଘଣ୍ଟା ହେବ ଅପେକ୍ଷା କରିଥିବା ପିତାମାତାଙ୍କୁ ଛାତ୍ରଛାତ୍ରୀମାନେ ଦିଲ୍ଲୀ ବିମାନ ବନ୍ଦର ବାହାରକୁ ଆସି କୋଳାଗ୍ରତ କରିବା ବେଳେ ବଡ଼ ଆବେଗମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୁହ ଛଳଛଳ ଆଖିରେ ଅନେକ ପିତାମାତା ଏବଂ ପରିବାରର ସଦସ୍ୟମାନେ ମିଷ୍ଟାନ୍ନ ବଣ୍ଟନ କରିବା ସହ ପିଲାମାନଙ୍କୁ ଫୁଲହାର ପିନ୍ଧାଇ ଦେଇଥିଲେ। ଆଉ କେତେକ ଫୁଲତୋଡ଼ା ଦେଇ ପିଲାମାନଙ୍କୁ କୋଳାଇ ନେଇଥିଲେ।କେତେକ ପରିବାରର ସଦସ୍ୟମାନେ ‘ଭାରତ ମାତାକୀ ଜୟ’ ଏବଂ ‘ମୋଦୀ ଥିଲେ ସବୁ ସମ୍ଭବ’ ଆଦି ସ୍ଲୋଗାନ ଦେଇଥିବାର ଦେଖିବାକୁ ମିଳିଥିଲା ।





