୧ ଡିସେମ୍ବରରୁ ସ୍ୱାସ୍ଥ୍ୟ ସତର୍କତା ଛବି ଓ ଲେଖାରେ ମିଳିବ ତମାଖୁ ପ୍ୟାକେଟ୍

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୧ ଡିସେମ୍ବର ୨୦୨୨ ରୁ ବଦଳିବ ତମାଖୁ ପ୍ୟାକେଟ। ପ୍ରସ୍ତୁତ, ଆମଦାନୀ ଅଥବା ପ୍ୟାକ୍ କରାଯାଇଥିବା ତମାଖୁ ଉତ୍ପାଦରେ ନୂଆ ସ୍ୱାସ୍ଥ୍ୟ ସତର୍କତା ଛବି ଓ ଲେଖାରେ ଉପଲବ୍ଧ ହେବ। ଏହି ସତର୍କତାରେ ‘ତମାଖୁ ସେବନ ଯନ୍ତ୍ରଣାଦାୟକ ମୃତ୍ୟୁର କାରଣ’ ଲେଖାଯିବ ବୋଲି ଉଲ୍ଲେଖ କରାଯିବ ବୋଲି କହିଛନ୍ତି। ଏହି ଛବି ୧ ଡିସେମ୍ବରରୁ ଏକ ବର୍ଷ ଅବଧି ନିମନ୍ତେ ବୈଧ ହେବ।

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଅଧିସୂଚନା ଜାରି କରିଥିବା ବେଳେ ଅଧିସୂଚିତ ନୂଆ ସ୍ୱାସ୍ଥ୍ୟ ସତର୍କତା ରୂପେ ୧ ଡିସେମ୍ବର ୨୦୨୩ ଓ ଏହା ପରେ ପ୍ରସ୍ତୁତ, ଆମଦାନୀ ଅଥବା ପ୍ୟାକ ହୋଇଥିବା ତମାଖୁ ଉତ୍ପାଦନର ସ୍ୱାସ୍ଥ୍ୟ ସତର୍କତା ଲେଖାରେ ‘ତମାଖୁ ବ୍ୟବହାରକାରୀ କମ ବୟସରେ ମରନ୍ତି’ ବୋଲି ସତର୍କତା ସହ ଏକ ଛବି ମଧ୍ୟ ରହିବ ବୋଲି କହିଛନ୍ତି।

ମନ୍ତ୍ରାଳୟ ସିଗାରେଟ୍ ଓ ଅନ୍ୟ ତମାଖୁ ଉତ୍ପାଦ( ପ୍ୟାକେଜିଂ ଓ ଲେବଲିଂ) ତୃତୀୟ ସଂଶୋଧନ ନିୟମ ୨୦୨୨ ଅନୁସାରେ ସଂଶୋଧିତ ନିୟମ ୧ ଡିସେମ୍ବର ୨୦୨୨ରୁ ଲାଗୁ ହେବ। ଏହି ଅଧିସୂଚନା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ୱେବସାଇଟ୍‌ରେ ସମସ୍ତ ୧୯ଟି ଭାଷାରେ ଜାରି ହୋଇଛି। ଏହା ଛଡା ମନ୍ତ୍ରାଳୟ ଏକ ବୟାନରେ ଏପରି କୌଣସି ତମାଖୁ ଉତ୍ପାଦନର ପ୍ରସ୍ତୁତି, ଉତ୍ପାଦନ, ଯୋଗାଣ ଓ ବିତରଣ ସହ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ରୂପେ ସମ୍ବଦ୍ଧିତ ବ୍ୟକ୍ତି ସବୁ ତମାଖୁ ଉତ୍ପାଦ ପ୍ୟାକେଜ୍‌ରେ ନିର୍ଦ୍ଧିଷ୍ଟ ସ୍ୱାସ୍ଥ୍ୟ ସତର୍କତା ଯେପରି ସ୍ପଷ୍ଟ ନିର୍ଦ୍ଧାରିତ ହୋଇଥାଏ ତାହା ସୁନିଶ୍ଚିତ କରିବେ।

ସରକାରଙ୍କ ଏହି ଗାଇଡ୍ ଲାଇନ ଉଲ୍ଲଂଘନକୁ ଦଣ୍ଡନୀୟ ଅପରାଧ ବିବେଚନା କରାଯିବ। ଯେଉଁଥିରେ ସିଗାରେଟ ଓ ତମାଖୁ ଉତ୍ପାଦର ବିଜ୍ଞାପନ, ବ୍ୟାପାର, ବାଣିଜ୍ୟ, ଉତ୍ପାଦନ, ଯୋଗାଣ ଓ ବିତରଣ ଧାରା ୨୦ ଅନୁଯାୟୀ ଜେଲ ଓ ଜରିମନା ଅଥବା ଉଭୟ ଦଣ୍ଡ ବିଧାନ କରାଯାଇପାରେ ବୋଲି ସ୍ପଷ୍ଟ ସୂଚିତ କରିଛନ୍ତି ।

Related Posts