ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଜାମସେଦପୁର, ଦିଘା ଉପରେ ଦକ୍ଷିଣ ପୂର୍ବ ଦିଗଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ଗତି କରୁଛି ଫଳରେ ଏହା ଏବେ ସମୁଦ୍ର ପତନଠାରୁ ୧.୫ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିଛି।

ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ ଏବଂ ପଡ଼ୋଶୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି ଏବଂ ସମୁଦ୍ର ପତନଠାରୁ ୩.୧ କିଲୋମିଟର ଉଚ୍ଚତାରେ ଦକ୍ଷିଣ ଦିଗକୁ ଅଗ୍ରସର ହେଉଛି।
ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ଏବଂ ଉପକୂଳ ଓଡିଶାର ଜିଲ୍ଲାଗୁଡିକର ଅନେକ ସ୍ଥାନରେ ବର୍ଷାସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଜୁଲାଇ ୨୬ ତାରିଖ, ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କଟକ, ଢ଼େଙ୍କାନାଳ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୪ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

Related Posts