ବେଙ୍ଗାଲୁରୁରେ ଅତି ପ୍ରବଳ ବର୍ଷା: ଅନେକ ଅଞ୍ଚଳ ଜଳମଗ୍ନ

ବେଙ୍ଗାଲୁରୁ: ଗତରାତିରେ ବେଙ୍ଗାଲୁରୁରେ ଅତି ପ୍ରବଳ ନିରବଚ୍ଛିନ୍ନ ବର୍ଷା ହୋଇଚି। ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ସରକାରୀ କର୍ତ୍ତୃପକ୍ଷମାନେ ଜନସାଧାରଣଙ୍କ ସ୍ଥାନାନ୍ତରଣ ନିମନ୍ତେ ଡଙ୍ଗା ପଠାଉଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ସବୁଠୁ ଅଧିକ ବର୍ଷା ପ୍ରଭାବିତ ‌ଅଞ୍ଚଳରେ ରହିଛି ବେଲ୍ଲାଣ୍ଡୁର୍‌, ସାରଜାପୁରା ରୋଡ୍‌, ହ୍ବାଇଟ୍‌ଫିଲ୍‌ଡ୍‌, ବାହାର ରିଙ୍ଗ୍‌ରୋଡ୍‌ ଏବଂ ‘ବିଇଏମ୍‌ଏଲ୍‌ ଲେଆଉଟ୍‌’।

ଘଣ୍ଟା ଘଣ୍ଟା ଧରି ବର୍ଷା ବର୍ଷିବା ହେତୁ କର୍ଣ୍ଣାଟକର ରାଜଧାନୀରେ ଜଳାର୍ଣ୍ଣବ ହୋଇ ଯାଇଥିବା ଅନେକ ଅଞ୍ଚଳର ଫଟୋ ଲୋକେ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛନ୍ତି। ମରାଠାହାଲ୍ଲୀର ସ୍ପାଇସ୍‌ ଗାର୍ଡେନ୍‌ ଅଞ୍ଚଳରେ ଦୁଇଚକିଆ ଯାନ ଭାସୁଥିବା ବେଳେ ପାଣି ଜମିବା କାରଣରୁ ସ୍ପାଇସ୍‌ ଗାର୍ଡେନ୍‌ରୁ ହ୍ବାଇଟ୍‌ଫିଲ୍‌ଡ୍‌କୁ ପଡ଼ିଥିବା ରାସ୍ତା ଅବରୋଧ ହୋଇଯାଇଛି।

ବର୍ଷା ଯୋଗୁଁ କେତେକ ଉନ୍ନତ ଆପାର୍ଟମେଣ୍ଟ୍‌ ପରିସରରେ ପ୍ରଥମ କରି ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଏଥିପାଇଁ ସେଠାକାର ବାସିନ୍ଦାମାନେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କ ସହଯୋଗ ଲୋଡ଼ିଛନ୍ତି।

ବହାର ରିଙ୍ଗ୍‌ ରୋଡ୍‌ରେ ଟ୍ରାଫିକ୍‌ ସମସ୍ୟା ଯୋଗୁଁ ବେଙ୍ଗାଲୁରୁ ଉପକଣ୍ଠରେ ଅବସ୍ଥିତ ଟେକ୍‌ ପାର୍କସ୍‌କୁ ଯାତାୟାତ କରିବାରେ ଅସୁବିଧା ହେଉଛି।

ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକରେ ପ୍ରବଳ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ଏବଂ ପିଲାମାନଙ୍କୁ ସ୍କୁଲ୍‌କୁ ନ ପଠାଇବା ପାଇଁ ସରକାରୀ କର୍ତ୍ତୃପକ୍ଷମାନେ ଜନସାଧାରଣକୁ କହିଛନ୍ତି।

Related Posts