ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା : ବାଲୁବଜାର ପୂଜା କମିଟି ପକ୍ଷରୁ ମାମଲା ଦାଏର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ମୂର୍ତ୍ତି ଉଚ୍ଚତା ବୃଦ୍ଧି ବିବାଦ ଥମିବାର ନାଁ ଧରୁନି।  ଆନ୍ଦୋଳନ , ଆଲୋଚନା ପରେ ଏବେ ହାଇକୋର୍ଟରେ ପହଞ୍ଚିଲା ମାମଲା। ବାଲୁବଜାର ପୂଜା କମିଟି ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ଦାବିରେ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ଏହି ଆବେଦନରେ ପାଞ୍ଚ ଶହ ବର୍ଷର ପରମ୍ପରା ବଜାୟ ରଖିବାକୁ ନିବେଦନ କରାଯାଇଛି। ମୁଖ୍ୟ ଶାସନ ସଚିବ, ଏସ୍ଆର୍‌ସିଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି। ସମ୍ପ୍ରତି ମାଆ ଦୁର୍ଗାଙ୍କର ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ଜୋରଦାର ପ୍ରତିବାଦ ହେଉଛି। 

ଗତକାଲି କଟକ ନଗର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଅପରପକ୍ଷରେ , ପାର୍ବଣରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ରଖାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ମୂର୍ତ୍ତି ଉଚ୍ଚତା ବୃଦ୍ଧି କିମ୍ବା ହ୍ରାସ ହେବାକୁ ନେଇ ସଂକ୍ରମଣର କୌଣସି ସିଧାସଳଖ ସମ୍ପର୍କ ନାହିଁ। କିନ୍ତୁ ଯଦି ମୂର୍ତ୍ତିର ଉଚ୍ଚତା ଅଧିକ ହୁଏ , ତେବେ ଲୋକେ ଉତ୍ସାହିତ ହୋଇ ଦେଖିବାକୁ ଆସିବେ ଏବଂ ମଣ୍ଡପରେ ଭିଡ଼ ମଧ୍ୟ ହେବାର ସମ୍ଭାବନା ରହିଛି। ଆଉ ଭିଡ ଜମିଲେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କ ରହିଛି। 

ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ମୂର୍ତ୍ତିର ଉଚ୍ଚତାକୁ ନେଇ କଟକଣା ଲାଗୁ କରାଯାଇଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସଂକ୍ରମଣ ରୋକିବା ଲାଗି ମୂର୍ତ୍ତି ଉଚ୍ଚତା କମ୍ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ମୂର୍ତ୍ତିର ଉଚ୍ଚତା ବଢ଼ିଲେ ସାଜସଜ୍ଜା ବଢ଼ିବ ଓ ଆକର୍ଷଣ ମଧ୍ୟ ବଢ଼ିବ। ଲୋକମାନେ ଆକର୍ଷିତ ହୋଇ ଆସିବେ ଏବଂ ଭିଡ ଜମିବ। ଏହାଦ୍ୱାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। 

Related Posts