ଲଗାଣ ବର୍ଷା ଯୋଗୁଁ ସାତକୋଶିଆ ରାସ୍ତାରେ ଭୁଶୁଡ଼ି ପଡ଼ିଲା ପୋଲ , ଟିକରପଡାକୁ ଯାତାୟତ ବାଧାପ୍ରାପ୍ତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ପୋଲ ଭୁଷୁଡି ପଡିଛି । ଗତକାଲି ବିଳମ୍ବିତ ରାତିରେ ପୋଲ ଭୁଷୁଡି ପଡିବା କାରଣରୁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ଯାତାୟ‌ାତ ଠପ୍ ହୋଇ ଯାଇଛି।  ଅନୁଗୁଳ ଜିଲ୍ଲାର ପମ୍ପାସର ନିକଟରେ ଥିବା ଏକ ପୋଲ ଭୁଶୁଡ଼ି ପଡ଼ିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। 

ମିଳିଥିବା ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟକୁ ଅନୁଗୁଳ ବ୍ଳକ କରତପଟା ଠାରୁ ପମ୍ପାସର ବନାଞ୍ଚଳ ଯିବା ବାଟରେ ଥିବା ଦୁର୍ଗା ମନ୍ଦିର ନିକଟରେ ଏକ ପୋଲ ରହିଛି। ଏହି ପୋଲଟି ରାଜ୍ୟରେ ଗତ ଦୁଇଦିନ ଧରି ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ଭୁଶୁଡ଼ି ପଡିଥିଲା। ଫଳରେ ଗତକାଲି ରାତିଠାରୁ ଖବର ଲେଖାଯିବା ସୁଦ୍ଧା ସାତକୋଶିଆ ଅଭୟାରଣ୍ୟକୁ ଯାତାୟ‌ାତ ବନ୍ଦ ରହିଛି। 

ତେବେ ପୋଲ ଭାଙ୍ଗିଥିବା ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲ ମରାମତି ପାଇଁ ବିଭାଗୀୟ ଏସଡିଓ ସହ ଠିକାଦାର ମାନେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ସେହିପରି ବନ୍ତଳା-ଅନୁଗୁଳ ରାସ୍ତା ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିରେ ଦବିଯାଇଛି। ଫଳରେ ସେଠାରେ ଦୁଇଟି ସ୍ଥାନରେ ଗଭୀର ଗର୍ତ୍ତ (ପ୍ରାୟ ୧୦ ଫୁଟ ଓସାର ଓ ପ୍ରାୟ ୪ ଫୁଟ ଗଭୀର) ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିରେ ବନ୍ତଳା କଲେଜ ରୋଡ଼ ରାସ୍ତାଟି ଦବି ଯାଇଛି। ଫଳରେ ସେଠାରେ ପ୍ରାୟ ୧୦ଫୁଟ ଓସାର ଓ ପ୍ରାୟ୪ ଫୁଟ ଗଭୀରର ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସେଠାରେ ବ୍ୟାରିକେଟ କରି ପ୍ରାୟ ୧୦ରୁ ଅଧିକ ପଞ୍ଚାୟତବାସୀ ବିପଦ ସଙ୍କୁଳ ଅବସ୍ଥାରେ ଅନୁଗୁଳ ସହରକୁ ଯାତାୟତ କରୁଥିବା ଜଣାପଡିଛି।

Related Posts