ହକି ବିଶ୍ୱକପ୍-୨୦୨୩; ଆଜିଠୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ, ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ୨ଟି ଟିକେଟ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହକି ବିଶ୍ୱକପ-୨୦୨୩ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । ଦିନ ଗୋଟାଏ ପରେ ‘ପେଟିଏମ ଇନସାଇଡ’ www.insider.in ର ସାଇଟକୁ ଯାଇ ହକି ପ୍ରେମୀମାନେ ଟିକେଟ୍ ବୁକିଂ କରିପାରିବେ । ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ୍ କିଣିପାରିବେ । ଟିକେଟର ମୂଲ୍ୟ ୧୦୦ରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଅନଲାଇନ ଟିକେଟ୍ ବୁକ୍ କରିବା ସମୟରେ ମୋବାଇଲ୍ ନମ୍ବର, ଇମେଲ ଆଇଡି ଓ ଫଟୋ ପରିଚୟ ପତ୍ର ଦେବାକୁ ପଡିବ । ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ ନିକଟରେ ରହିଥିବା ଟୁର୍ଣ୍ଣାମେଣ୍ଟ ବକ୍ସ ଅଫିସରୁ ଦର୍ଶକ ଟିକେଟ ସଂଗ୍ରହ କରିପାରିବେ । ଜଣେ ବ୍ୟକ୍ତି ସର୍ବାଧି ୨ଟି ଟିକେଟ୍ କିଣିପାରିବେ । କିନ୍ତୁ ଟିକେଟ୍ ସଂଗ୍ରହ କରିବା ସମୟରେ ଜଣେ ବ୍ୟକ୍ତି ଚାହିଁଲେ ବନ୍ଧୁ, ପରିଜନ, ସାଥୀଙ୍କ ପାଖରେ ବସିବା ଲାଗି ସିଟ୍ ଆଡଜଷ୍ଟମେଣ୍ଟ ପାଇଁ ଅନୁରୋଧ କରିପାରିବେ ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୩ରୁ ପୁରୁଷ ହକି ବିଶ୍ୱକପର ୧୫ତମ ସଂସ୍କରଣ ଆରମ୍ଭ ହେବ । ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ୍ ଖେଳାଯିବ । ଏଥିରେ ମୋଟ୍ ୫ଟି ମହାଦେଶର ୧୬ ଦେଶ ଟାଇଟଲ ପାଇଁ ଲଢେଇ କରିବେ । ୧୬ଗୋଟି ଦଳକୁ ୪ଟି ପୁଲରେ ବିଭକ୍ତ କରାଯାଇଛି । ଭାରତ ଏହାର ପ୍ରଥମ ମ୍ୟାଚରେ ଜାନୁଆରୀ ୧୩ରେ ସ୍ପନକୁ ଭେଟିବ । ଏହି ମ୍ୟାଚ୍ ରାଉରକେଲାରେ ଖେଳାଯିବ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ୍‌ କିଣି ଏହାର ଶୁଭାରମ୍ଭ କରିଛନ୍ତି । ଗତକାଲି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଟୁର୍ଣ୍ଣାମେଣ୍ଟର ପ୍ରଥମ ଟିକେଟ୍‌ ପ୍ରଦାନ କରିଥିଲେ ।

Related Posts