
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ଗତ କିଛି ଦିନ ହେବ ୟୁପି ଓ ବିହାରର ଗଙ୍ଗା ନଦୀରେ ଶବ ଭାସୁଥିବାର ଚିତ୍ର ସାମ୍ନାକୁ ଆସୁଛି। ଏହି ଘଟଣାରେ ଜାତୀୟ ମାନବ ଅଧିକାର ଆୟୋଗ (NHRC) କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ଉତ୍ତରପ୍ରଦେଶ ଓ ବିହାର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । NHRC ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ଜଳ ଶକ୍ତି ମନ୍ତ୍ରଣାଳୟର ସଚିବଙ୍କୁ ନୋଟିସ୍ ଜାରି କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। । ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାର ବାସିନ୍ଦାଙ୍କ ସୂଚନା ଅନୁଯାୟୀ, ଉଜିଆର, କୁଲହାଡିଆ ଏବଂ ଭାରାଉଲି ଘାଟରେ ଅତି କମରେ 52 ଟି ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ସେହିଭଳି ଗଙ୍ଗାରେ ମୃତଦେହ ଭାସୁଥିବା ଖବର ବିହାରରୁ ଆସିଛି। NHRC ବିବୃତ୍ତିରେ କହିଛନ୍ତି ଯେ ଜନସାଧାରଣଙ୍କୁ ସଚେତନ କରାଇବା ତଥା ଗଙ୍ଗାରେ ଅର୍ଦ୍ଧ ଦଗ୍ଧ ମୃତଦେହ ଭାସିବା ଘଟଣାର ଯାଞ୍ଚ କରିବାରେ ସରକାରୀ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଭାରତ ବହୁତ୍ ପ୍ରଭାବିତ ହୋଇଛି। ସ୍ଥିତି ଏମିତି ଯେ, ଶ୍ମଶାନ ଘାଟ ଏବଂ ସମାଧିସ୍ଥଳରେ ଜାଗା ମିଳୁ ନାହିଁ। NHRC ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ପବିତ୍ର ଗଙ୍ଗା ନଦୀରେ ମୃତଦେହ ଭାସିବା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ନ୍ୟାସନାଲ ମିଶନ ଫର କ୍ଲିନ୍ ଗଙ୍ଗା ପ୍ରକଳ୍ପର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଛି। ଅନେକ ଗଣମାଧ୍ୟମର ରିପୋର୍ଟକୁ ଆଧାର କରି 11 ମଇ 2021 ରେ ଆୟୋଗ ଏକ ଅଭିଯୋଗ ଗ୍ରହଣ କରିଯାଇଛି ଯେଉଁଥିରେ ଗଙ୍ଗାରେ ଭାସୁଥିବା ଏହି ଶବଗୁଡିକ COVID-19 ପୀଡିତାଙ୍କର ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ଅଭିଯୋଗରେ ଦର୍ଶାଯାଇଛି ଯେ ଏହିପରି ଗଙ୍ଗାରେ ଶବ ଭାସିବା ଦ୍ବାରା ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ ଏହା ଉପରେ ନିର୍ଭର କରୁଥିବା ଲୋକମାନେ ପ୍ରଭାବିତ ହେବେ। ଏହି ଅଭିଯୋଗରେ ଆହୁରି ମଧ୍ୟ କୁହାଯାଛି ଯେ ଯଦିଓ ଏହି ମୃତ ଶରୀରଗୁଡିକ COVID-19 ପୀଡିତାଙ୍କର ହୋଇନଥାଏ, ତେବେ ଏଭଳି ଘଟଣା ସମଗ୍ର ସମାଜ ପାଇଁ ଲଜ୍ଜାଜନକ ଅଟେ, ଏବଂ ମୃତ ବ୍ୟକ୍ତିଙ୍କ ମାନବିକ ଅଧିକାରର ଉଲ୍ଲଂଘନ ଅଟେ।” ଗୁରୁବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୦ ଲକ୍ଷ ୪୬ ହଜାର ୮୦୯କୁ ବୃଦ୍ଧି ହୋଇଛି।