ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପଦବୀ ପାଇଁ ରେସ୍ରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଗତ କିଛି ଦିନ ତଳେ ତାଙ୍କ ଦିଲ୍ଲୀ ଗସ୍ତ ଏହି ଚର୍ଚ୍ଚାକୁ ଆହୁରି ଅଧିକ ଖୋରାକ ଯୋଗାଇଥିଲା। ତେବେ କମଲନାଥ ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ କହିଛନ୍ତି ଯେ, ମୁଁ ମଧ୍ୟପ୍ରଦେଶ ଛାଡ଼ିବି ନାହିଁ। ଅଧ୍ୟକ୍ଷ ପଦ ପାଇଁ ଆଗ୍ରହୀ ନୁହେଁ। ମୁଁ ନବରାତ୍ରୀ ପାଇଁ ଦିଲ୍ଲୀ ଆସିଛି। ଏଥିସହ ସେ କହିଛନ୍ତି ଯେ, ଅଧ୍ୟକ୍ଷ ନିର୍ବାଚନ ପାଇଁ ମୁଁ ନାମାଙ୍କନ ପତ୍ର ଦାଖଲ କରିନାହିଁ କି ଗେହଲଟଙ୍କ ସହ ଏନେଇ କୌଣସି କଥା ହୋଇନାହିଁ ବୋଲି କମଲନାଥ କହିଛନ୍ତି।
ସୂଚନାଯୋଗ୍ୟ ଯେ, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କମଲନାଥଙ୍କୁ ଦିଲ୍ଲୀ ଡକାଇଥିଲେ। ଏହାପରେ ସୋନିଆଙ୍କ ଦିଲ୍ଲୀ ସ୍ଥିତ ୧୦ ଜନପଥରେ ସେ ସୋନିଆଙ୍କୁ ଭେଟିଥିଲେ। ଏହାପରେ କମଲନାଥ ଅଧ୍ୟକ୍ଷ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ରାଜସ୍ଥାନରେ ଜାରି ରହିଥିବା ସଙ୍କଟରେ କମଲନାଥ ମଧ୍ୟସ୍ଥତା କରିବା ନେଇ ମଧ୍ୟ ଆଲୋଚନା ହେଉଥିଲା। ହେଲେ ଆଜି କମଲନାଥ ସମସ୍ତ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।